ଦିନକ ପୂର୍ବରୁ ସରିଲା ବିଧାନସଭା, ଶେଷ ଦିନରେ ୫ ବିଧେୟକ ପାରିତ

ଗୃହରେ ବିଜେପିର ହଙ୍ଗାମା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ଦିନକ ପୂର୍ବରୁ ଶେଷ ହୋଇଛି। କରୋନା ମହାମାରୀ ମଧ୍ୟରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି। ୭ ଦିନିଆ ଏହି ଅଧିବେଶନରେ ମୋଟ ୭ଟି ବିଧେୟକ ପାସ୍ ହୋଇଥିବା ବେଳେ ଆଜି ଶେଷଦିନରେ ୫ଟି ବିଧେୟକ ପାରିତ ହୋଇଛି। ତେବେ ପିଏମ୍ କିଷାନ ଏବଂ ଖଣି ଦୁର୍ନୀତି ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଜେପିର ଦାବିକୁ ଅଗ୍ରାହ୍ୟ କରି ଦିଆଯିବାରୁ ଦଳର ବିଧାୟକମାନେ ଗୃହ ମଧ୍ୟରେ ପ୍ରବଳ ହୋ ହାଲ୍ଲା କରିଥିଲେ। ବିଜେପି ସଦସ୍ୟମାନେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ କରିବା ସହ ଗୃହକାର୍ଯ୍ୟରେ ଆଦୌ ଭାଗ ନନେଇ କକ୍ଷ୍ୟତ୍ୟାଗ କରିଥିଲେ।

ମଙ୍ଗଳବାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡ଼ିଶା ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ୍ ଏବଂ ଓଡ଼ିଶା ଜିଏସ୍ଟି ସଂଶୋଧନ ବିଲ୍ ପାରିତ ହୋଇଛି। ବିଲ୍ ପାରିତ ହେବା ପରେ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ମୁଲତବୀ ପ୍ରସ୍ତାବ ଆଣିଥିଲେ। ଚଳିତ ଅଧିବେଶନରେ ଆଉ କୌଣସି କାର୍ଯ୍ୟ ବାକି ନଥିବାରୁ ଗୃହକୁ ମୁଲତବୀ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଶ୍ରୀ ପୂଜାରୀଙ୍କ ପ୍ରସ୍ତାବକୁ ଶାସକ ଦଳ ସଦସ୍ୟ ଅମର ଶତପଥୀ ସମର୍ଥନ କରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ପଦକ୍ଷେପ ନେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। କରୋନା କଟକଣା ମଧ୍ୟରେ ବିଧାନସଭା ଅଧିବେଶନ ଆୟୋଜନ ହୋଇପାରିଥିବାରୁ ବାଚସ୍ପତିଙ୍କ ସହ ବିରୋଧୀ ଦଳ ନେତା, କଂଗ୍ରେସ ଦଳ ନେତା, ମନ୍ତ୍ରିମଣ୍ଡଳ, ଗୃହର ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ, ସାମ୍ବାଦିକ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ସେହିପରି କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ପ୍ରସ୍ତାବକୁ ସମର୍ଥନ ଜଣାଇ ଚଳିତ ଅଧିବେଶନର ଅବଧି ସଂକ୍ଷିପ୍ତ ହୋଇଥିଲେ ମଧ୍ୟ ସଫଳ ହୋଇଥିବା ମତବ୍ୟକ୍ତ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକାର୍ଯ୍ୟରେ ସହଯୋଗ କରିଥିବାରୁ ବିରୋଧୀ ଦଳ, ଶାସକ ଦଳର ସମସ୍ତ ସଭ୍ୟ, ମନ୍ତ୍ରିମଣ୍ଡଳକୁ ଧନ୍ୟବାଦ ଜଣାଇବା ସହ ଆନୁଷ୍ଠାନିକ ଭାବେ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିଥିଲେ।

ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇଥିବା ବିଧାନସଭା ୭ ତାରିଖ ପର୍ଯ୍ୟନ୍ତ ମୋଟ ୮ ଦିନ ଚାଲିବାର ଥିଲେ ହେଁ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁଁ ଗୋଟିଏ ଦିନ ମୁଲତବୀ ରହିଥିଲା। ଅଧିବେଶନରେ ମୋଟ ୭ଟି ବିଲ୍ ପାସ୍ ହୋଇଥିବା ବେଳେ ୩ଟି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ସେହିପରି ୭୨ଟି ପେପର ଉପସ୍ଥାପନ ହୋଇଥିବା ବେଳେ ୮୯୮ଟି ଅଣତାରକା ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ଗୃହରେ ଉପସ୍ଥାପନ କରିଥିଲେ। ୧୧ଟି ଅଧ୍ୟାଦେଶ ଗୃହରେ ଉପସ୍ଥାପିତ ହୋଇଥିବା ବେଳେ ଶେଷ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।