କଟକ,ଏନ୍ଏନ୍ଏସ୍: ସ୍ଥାନୀୟ ଜବାହରଲାଲ୍ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ଗତ ୨୯ ତାରିଖଠାରୁ ଓଡ଼ିଶା ରାଜ୍ୟ ଟେବଲ୍ ଟେନିସ୍ ସଂଘ (ଓଏସ୍ଟିଟିଏ) ପକ୍ଷରୁ ଚାଲିଥିବା ୨୭ତମ ଓଡ଼ିଶା ରାଜ୍ୟ ଟେବଲ୍ ଟେନିସ୍ ଚାମ୍ପିଅନ୍ଶିପ୍ ସୋମବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ପୁରୁଷ ସିଙ୍ଗଲ୍ସରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍ଏସ୍ପି)ର ବିକାଶ ସିଂହ ଓ ମହିଳା ସିଙ୍ଗଲ୍ସରେ ଗୁରୁ ନାନକ ପବ୍ଲିକ୍ ସ୍କୁଲ୍ର ଶ୍ୱେତପଦ୍ମା ଦଳାଇ ଚାମ୍ପିଅନ୍ ହୋଇଛନ୍ତି। ସେମିଫାଇନାଲ୍ରେ ବିକାଶ ଓଡ଼ିଶା ମାଇନିଂ କର୍ପୋରେସନ୍ର ଦିଶାନ୍ତ ପରିଡ଼ାଙ୍କୁ ୪-୧ରେ ପରାସ୍ତ କରି ପ୍ରଥମ ଖେଳାଳି ଭାବେ ଫାଇନାଲ୍ରେ ପ୍ରବେଶ କରିଥିଲେ। ପରେ ଦ୍ୱିତୀୟ ସେମିଫାଇନାଲ୍ରେ କଟକର ଏମ. ଈଶ୍ୱର ରାଓ ଏଜି ଓଡ଼ିଶାର ଡି. ଦେବଦତ୍ତ ମହାନ୍ତିଙ୍କୁ ୪-୦ରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ।
ଏହାଛଡ଼ା ମହିଳା ସିଙ୍ଗଲ୍ସ ବର୍ଗରେ ଶ୍ୱେତପଦ୍ମା ଫାଇନାଲ୍ରେ ଅଞ୍ଜଳି ଅଗରୱାଲାଙ୍କୁ ୪-୦ ଗେମ୍ରେ ଏକତରଫା ଭାବେ ହରାଇ ଚାମ୍ପିଅନ୍ ହୋଇଛନ୍ତି। ଆହୁରି ଭେଟେରାନ୍ ଡବଲ୍ସରେ ଖୋର୍ଦ୍ଧାର ପିକେ ସାମନ୍ତରାୟ-ଏସଆର୍ ଦାସ ଯୋଡ଼ି ଖୋର୍ଦ୍ଧାର ଆରକେ ସାହୁ-ନିତ୍ରଞ୍ଜନ ସେଠୀ ଯୋଡ଼ିକୁ ୩-୦ ଗେମ୍ରେ ହରାଇ ଟାଇଟଲ୍ ହାତେଇଛନ୍ତି। ଅନ୍ୟାନ୍ୟ ବୟସ ବର୍ଗରେ ୧୧ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସରେ କଟକର ଶୁଭଙ୍କର ମାହାଲି ଆରୁଶ ମାଣିଆଙ୍କୁ ୩-୨ରେ ହରାଇ ଚାମ୍ପିଅନ୍ ହୋଇଛନ୍ତି। ୧୩ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ଫାଇନାଲ୍ରେ କଟକର ଜିଜ୍ଞାଂଶୁ ସାହୁ ଖୋର୍ଦ୍ଧାର ଜୟତସୁ ଦାସଗୁପ୍ତାଙ୍କୁ ୪-୦ରେ, ୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଫାଇନାଲ୍ରେ ଶ୍ୱେତପଦ୍ମା ଖୋର୍ଦ୍ଧାର ସୁଶ୍ରୀ ପଟ୍ଟନାୟକଙ୍କୁ ୪-୦ରେ, ୧୭ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ଫାଇନାଲ୍ରେ ଜିଜ୍ଞାଂଶୁ ସାହୁ କଟକର ଫରାଜ୍ ରଜାଙ୍କୁ ୪-୨ରେ, ୧୫ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ଫାଇନାଲ୍ରେ ଜିଜ୍ଞାଂଶୁ କଟକର ଆୟାନ୍ ମୁସ୍ତାକ୍ଙ୍କୁ ୪-୦ରେ ଏବଂ ୧୯ ବର୍ଷରୁ କମ୍ ପୁରୁଷ ବର୍ଗରେ କଟକର ମୋହିତ ବେହୁରା ଖୋର୍ଦ୍ଧାର ଅବିନାଶ ତ୍ରିପାଠୀଙ୍କୁ ୪-୧ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି।
ଉଦ୍ଯାପନୀ ଉତ୍ସବରେ କଟକ ଜିଲ୍ଲା ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହାଛଡ଼ା ଓଏସ୍ଟିଟିଏର ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଉପସଭାପତି ଚିତ୍ତରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ନୀହାର ରଞ୍ଜନ ମିଶ୍ର, ଯୁଗ୍ମ ସମ୍ପାଦକ ଜୟଦିତ୍ ଦେବତା ଓ କଟକ ଡିଏସ୍ଓ ରଶ୍ମି ରଞ୍ଜନ ସାମନ୍ତରାୟ ମଧ୍ୟ ଉଦ୍ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ।