ଭୁବନେଶ୍ୱର,ଏନ୍ଏନ୍ଏସ୍: ଅସହ୍ୟ ଖରାରେ ସିଝିବ ସାରା ଓଡିଶା। ଆଜିଠୁ ଆହୁରୀ ବଢିବ ତାପମାତ୍ରା। ଗତ ୨୪ ଘଣ୍ଟାରେ ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଛି। ଅନୁଗୁଳରେ ୩୯ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ୧୩ଟି ସ୍ଥାନରେ ୩୮ ଡିଗ୍ରୀ ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୧୮ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି।
ଏହାସହିତ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ଆସନ୍ତା ୩ ଦିନ ଯାଏଁ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ଓ ସକାଳ ୮ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଅସହ୍ୟ ହେବ।
ସେଥିପାଇଁ ଆସନ୍ତା ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ।
ସେହିପରି ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ଖରା ଅସହ୍ୟ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରିଛି।