ଜାତୀୟ ଦଳ ଘୋଷଣା କଲେ କେସିଆର୍‌

ହାଇଦ୍ରବାଦ,ଏଜେନ୍ସି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆଜି ନିଜ ଜାତୀୟ ଦଳ ଘୋଷଣା କରିଛନ୍ତି । ଗତକାଲି ଠାରୁ ସେ ତାଙ୍କ ଦଳର ନାମ ଚୂଡାନ୍ତ କରିସାରିଥିବା ସୂଚନା ମିଳିସାରିଥିବା ବେଳେ ଦଳୀୟ ବୈଠକ ପରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କେସିଆର । ଏଣିକି ତେଲେଙ୍ଗାନାରେ ଶାସନରେ ଥିବା ତାଙ୍କ ଦଳ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଏବେ ‘ଭାରତ ରାଷ୍ଟ୍ର ସମିତି’ ଭାବେ ନାମିତ ହୋଇଛି ।

ଆଜି ଟିଆରଏସ ବୈଠକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା କୁମାରସ୍ୱାମୀ, ତାମିଲନାଡୁ ଭିସିକେ ପାର୍ଟି ସଭାପତି ତଥା ସାଂସଦ ଥିରୁମାଭାଲାଭାନଙ୍କ ସମେତ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । ତେବେ ବୈଠକରେ ଦଳର ନାମ ପରିବର୍ତ୍ତନ କରି ତାକୁ ଜାତୀୟ ଦଳରେ ପରିଣତ କରିବା ପାଇଁ ଏକ ସଂଙ୍କଳ୍ପ ଆଗତ ହୋଇଥିଲା । ଦଳର କାର୍ଯ୍ୟକର୍ତ୍ତାଙ୍କ ସହମତିରେ ସଂକଳ୍ପ ପତ୍ର ପାରିତ ହୋଇଥିଲା । ବୈଠକ ପରେ କେସିଆର ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିଛନ୍ତି ।