ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମହାମାରୀ ସହ ମୁକାବିଲା କରିବା ପାଇଁ ବର୍ତ୍ତମାନ ଦେଶରେ କାର୍ଯ୍ୟକାରୀ ହେଉଛି ତୃତୀୟ ପର୍ଯ୍ୟାୟ ଲକଡାଉନ। ଫଳରେ ବର୍ଷସାରା ଫିଲ୍ମ ଓ ବିଜ୍ଞାପନ ସୁଟିଂ ପାଇଁ ବ୍ୟସ୍ତ ରହୁଥିବା ବଲିଉଡ କଳାକାର ବର୍ତ୍ତମାନ ଘରେ ସମୟ କାଟୁଛନ୍ତି। ହାତରେ ପ୍ରଚୁର ଖାଲି ସମୟ ଥିବାରୁ ସେମାନେ ପୁରୁଣା ଫଟୋ, ଭିଡିଓ, ଫିଲ୍ମର କ୍ଲିପିଂ ଆଦି ସେୟାର କରୁଛନ୍ତି ସୋସିଆଲ ମିଡିଆରେ। ଅନେକ କଳାକାର ପୁରୁଣା କଥା ମନେପକାଇ ତାହାକୁ ମଧ୍ୟ ପୋଷ୍ଟ କରୁଛନ୍ତି। ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ମଧ୍ୟ ସେଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି ସାମାଜିକ ଗଣମାଧ୍ୟମରେ। ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଭିଡିଓରେ ସୁସ୍ମିତା ଗ୍ୟାଙ୍ଗ ରେପ ବାବଦରେ କହୁଥିବା ଦେଖିବାକୁ ମିଳିଛି।
ସୁସ୍ମିତା କହିଛନ୍ତି, ଗ୍ୟାଙ୍ଗ ରେପ ଦୋଷୀଙ୍କୁ କୌଣସି ପ୍ରକାର ଦୟା ନ ଦେଖାଇ ଫାଶୀଦଣ୍ଡ ଦିଆଯିବା ଉଚିତ। ସୁସ୍ମିତା ମଧ୍ୟ ନିଜ ସହିତ ଘଟିଥିବା ଏକ ଘଟଣା ସମ୍ପର୍କରେ କହିଛନ୍ତି ଏ ଭିଡିଓରେ। ଥରେ ଜଣେ ପନ୍ଦର ବର୍ଷୀୟ ବାଳକ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲା। ଏଥିରେ ଅତିଷ୍ଠ ହୋଇ ସେ ନିଜେ ସେହି ପିଲାଟିକୁ ସବକ ଶିଖାଇଥିଲେ। ଛ’ ମାସ ତଳେ ଏକ ପୁରସ୍କାର ସମାରୋହରେ ପିଲାଟି ତାଙ୍କ ଶରୀରରେ ହାତ ମାରିଥିଲା। ସେ ତା’ର ହାତକୁ ଧରି ଟାଣି ଆଣିଥିଲେ। ମାତ୍ର ୧୫ ବର୍ଷର ବାଳକ ହୋଇଥିବାରୁ ତାହାକୁ କେବଳ ଚେତାବନୀ ଦେଇ ଛାଡ଼ିଦେଇଥିଲେ ବୋଲି ଭିଡିଓରେ କହିଛନ୍ତି ସୁସ୍ମିତା।