ସିଙ୍ଗାପୁରରେ ତାଲିମ୍ ନେବେ ଓଡ଼ିଶାର ୪୦ ଛାତ୍ରଛାତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁରରେ ଆଇଟିଇକୁ ଯାଉଛନ୍ତି ବିଶ୍ବ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ। ସିଙ୍ଗାପୁର ଯିବା ପୂର୍ବରୁ ଏହି ଛାତ୍ରଛାତ୍ରୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଶ୍ବରେ ୧ ନମ୍ବର ହେବା ପାଇଁ ଉଦ୍ୟମ କରିବା ଲାଗି ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଶ୍ବ ଦକ୍ଷତା କେନ୍ଦ୍ରର ସିଇଓ ଉପସ୍ଥିତ ଥିଲେ।

ଏହି ୪୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୨ ଜଣ ବାଳକ, ୮ ଜଣ ବାଳିକା ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ କୃଷକ ପରିବାରରୁ ଆସିଛନ୍ତି। ସିଙ୍ଗାପୁର ଆଇଟିଇରେ ସେମାନେ ୨ସପ୍ତାହ କାର୍ଯ୍ୟ କରିବେ। ସ୍ଥାନୀୟ ଯୁବକମାନଙ୍କ ସାମାଜିକ ଓ ସାଂସ୍କୃତିକ ଦିଗଗୁଡ଼ିକ ସହିତ ପରିଚିତ ହେବେ। ବିଶ୍ବ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଶ୍ବସ୍ତରୀୟ ସୁଯୋଗ ଦେବା ସହିତ ଶିକ୍ଷଣୀୟ ଅଭିଜ୍ଞତାକୁ ସମୃଦ୍ଧ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସିଙ୍ଗାପୁରରେ ୨୦ ଜଣ ଛାତ୍ରଛାତ୍ରୀ ମାନବ ବିହୀନ ବିମାନ(ୟୁଏଭି)ର ପ୍ରୋଗ୍ରାମିଂ ଓ ମାନବ ବିହୀନ ବିମାନ ବ୍ୟବସ୍ଥା(ୟୁଏଏସ୍‌)ର ରୂପାନ୍ତରଣ ଶିଖିବେ। ସେହିପରି ଅନ୍ୟ ୨୦ ଜଣ ସ୍ବୟଂଚାଳିତ ଭ୍ରାମ୍ୟମାଣ ରୋବଟ ଓ ଶିଳ୍ପକେନ୍ଦ୍ରୀକ ରୋବଟ ସଂପର୍କରେ ଦକ୍ଷତା ହାସଲ କରିବେ।

ଏହି ବିନିମୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ), ବିଶ୍ବ ଦକ୍ଷତା କେନ୍ଦ୍ର ଓ ଆଇଟିଇ ଶିକ୍ଷା ସେବା(ଆଇଟିଇଇଏସ୍‌)ର ମିଳିତ ସହଯୋଗରେ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ଗତବର୍ଷ ମାର୍ଚରେ ଏହାର ଉଦ୍‌ଘାଟନ କରିଥିଲେ।