ଆସନ୍ତାକାଲି ୧୨ ଘଣ୍ଟିଆ ଭାରତ ବନ୍ଦ : ରାଜଧାନୀ ଜଗିବେ ୨୦ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆସନ୍ତାକାଲି ଏହି ଆନ୍ଦୋଳନକୁ ୪ ମାସ ପୁରିବାକୁ ଯାଉଥିବାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦର ଡାକରା ଦେଇଛି। ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ। କୃଷକ ନେତା ଦର୍ଶନ ପାଲ କହିଛନ୍ତି, ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ। ଅନ୍ୟପଟେ କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି, ଆନ୍ଦୋଳନକୁ ୪ ମାସ ପୁରିଲାଣି। ସରକାର ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ। ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ।  ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜନଗହଳି ମାର୍କେଟ୍ ଗୁଡ଼ିକରେ ପୁଲିସ ଟିମ୍ ମୁତୟନ ରହିବେ ବୋଲି ଭୁବନେଶ୍ୱର ଡିସିପି ଡ.ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସବୁ ଥାନା ଅଞ୍ଚଳରେ ସ୍ଥାନୀୟ ପୁଲିସ ପାଟ୍ରୋଲିଂ କରିବା ସହ ଥାନାଧିକାରୀ ଉପସ୍ଥିତ ରହିବେ।