ସଙ୍କଟ ସମୟରେ ଲୋକଙ୍କ ସାଥୀରେ ରୁହ – ମୁଖ୍ୟମନ୍ତ୍ରୀ

କୋଭିଡ୍ ଯୋଦ୍ଧା ଏବଂ ଜେଇଇ-ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ କର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦଳୀୟ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ। ଭିଡିଓ କନଫରେନ୍ସିଂ ଜରିଆରେ ବିଧାୟକମାନଙ୍କୁ ସମ୍ବୋଧିତ କରି ସଙ୍କଟ ସମୟରେ ଲୋକଙ୍କ ସାଥୀରେ ରହିବାକୁ ପରାମର୍ଶ ଦେଇଛନ୍ତି।ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି । ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ। କୋଭିଡ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ତାହା ହେଲା ନାହିଁ। ବର୍ତ୍ତମାନ ଆମ ପାଖରେ ୪୮ ଘଣ୍ଟାରୁ କମ ସମୟ ରହିଛି। ପିଲାମାନେ ଆମଦେଶର ଭବିଷ୍ୟତ ଓଡ଼ିଶାର ଭବିଷ୍ୟତ । ସେମାନେ ଆମ ପରିବାରର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ୱ । ତେଣୁ ପିଲାମାନେ ଯେପରି ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ନିଜନିଜ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ  ପୂରା ସହଯୋଗ କରିବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି । ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ ଅଛି।  କୋଭିଡ ଯୋଦ୍ଧାମାନଙ୍କ ସାଥୀରେ ରୁହନ୍ତୁ । ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତଦେହ ସଂସ୍କାରରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଗଲା । ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ହେବ। ନିଜେ ଯତ୍ନବାନ ରହି ଲୋକଙ୍କୁ ସଚେତନ କରିବାକୁ ବିଧାମାନଙ୍କୁ ଆହ୍ୱାନ ଦେଇଛନ୍ତି । ବର୍ତ୍ତମାନ କେବଳ ସାରା ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ୱାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦେବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି । ଏହି ଟଙ୍କାରେ ସ୍ୱୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣାଯାଇ ପାରିବ। ଏହାଦ୍ୱାରା ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ରୋଜଗାର ପାଇବେ ଏବଂ ଲୋକମାନେ ମଧ୍ୟ ନିରାପଦ ରହିବେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଁ ସବୁବେଳେ କହି ଆସିଛି ଯେ, ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ କଲ୍ୟାଣ ଆମ ଦାୟିତ୍ୱ। ‘ଓଡିଶା – ମୋ ପରିବାର’ କାର୍ଯ୍ୟକ୍ରମରେ ଏ ସମୟରେ ପିଲାଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ। ସେହିପରି ଅଧିକ ରକ୍ତଦାନ କ୍ୟାମ୍ପ ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।