ରାଜ୍ୟରେ ନବୀନ ବାବୁ ନୁହେଁ ବରଂ ସରକାରୀ ବାବୁମାନେ ଶାସନ କରୁଛନ୍ତି: ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସୁଶାସନ ବଦଳରେ କୁଶାସନ ଚାଲିଛି। ରାଜ୍ୟରେ ଶାସନ କରିବା ପାଇଁ ଓଡିଶାର ଜନତା ନବୀନ ବାବୁଙ୍କୁ ଭୋଟ ଦେଇଛନ୍ତି, କିନ୍ତୁ ଏଠି ନବୀନ ବାବୁ ନୁହେଁ ସରକାରୀ ବାବୁମାନେ ଶାସନ କରୁଛନ୍ତି। ଏଭଳି ଏକ ମନ୍ତବ୍ୟ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, ବିଗତ ବର୍ଷରେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି। କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୁର୍ନୀତିରେ ବିଜେଡି ନେତାମାନଙ୍କର ସମ୍ପୃକ୍ତି ରହିଛି।

ସେହିପରି ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ ହତ୍ୟାକାରୀଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି। ଏହା ପରେ ବି ନବୀନ ବାବୁ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଦେଶରୁ ମୁକ୍ତ କରିବା ପାଇଁ ପ୍ରୟାସ କରିବା ସହ ଲୋକଙ୍କ ହିତରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। କ୍ଷମତା ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି ସର୍ବଦା ପ୍ରତିଶ୍ରୁତିବଦ୍ଧ। ଏଣୁ ଓଡିଶାର ଜନତା କୁଶାସନକୁ ଗାଦିରୁ ହଟାଇ ସୁଶାସନ ପାଇଁ ଆଗାମୀ ଦିନରେ ରାଜ୍ୟରେ ସରକାର କରିବା ପାଇଁ ବିଜେପିକୁ ସୁଯୋଗ ଦେବାକୁ ଶ୍ରୀମତୀ ପୁରନ୍ଦେଶ୍ୱରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଏଥିସହିତ ରାଜ୍ୟ କଂଗ୍ରେସ ବିଜେଡି ସହ ମିଶି ଲୋକଙ୍କୁ ଭ୍ରମିତ କରୁଛି। କଂଗ୍ରେସର କିଛି ବିଧାୟକ ବିଜେଡି ସହ ମିଶିଥିବା ନେଇ ଖୋଦ୍ ତାଙ୍କ ଦଳର ବିଧାୟକମାନେ ଅଭିଯୋଗ କରିଛନ୍ତି। ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏସଆଇଟି ଗଠନ ପାଇଁ ଦାବି କରୁଥିଲେ। ଏବେ ବିଜେପି ବିରୋଧ କରିବା ପରେ ଏବେ ସେ କହୁଛନ୍ତି କି ଏସଆଇଟି ମୁଖ୍ୟଙ୍କ ପାଖରେ ତଦନ୍ତ କରିବା ପାଇଁ କ୍ଷମତା ନାହିଁ। ପରୀ ହତ୍ୟାକାଣ୍ଡରେ ତଦନ୍ତ ଭାର ସିବିଆଇକୁ ଦେବା ସହ ହତ୍ୟାକାଣ୍ଡରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।