ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଗୁଡ଼ିକୁ ଛୋଟ ଛୋଟ ଉଦ୍ୟୋଗରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଓଡିଶା ଫୁଡ଼ ପ୍ରୋ ୨୦୨୨। ଆସନ୍ତା ୨୧ ତାରିଖରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜନ ହେବ ଏହି ଖାଦ୍ୟ ପ୍ରକ୍ରିୟାକରଣ ନିବେଶକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।
ଓଡ଼ିଶା ଫୁଡ଼ ପ୍ରୋରେ ରାଜ୍ୟ ଭିତରର ୧୦୦ରୁ ଅଧିକ ଶିଳ୍ପପତି ସମେତ ଆଇଟିସି, ରିଲାଏନ୍ସ, ବିଗ ବାସ୍କେଟ ଭଳି ବହୁ ବଡ଼ କମ୍ପାନି ଅଂଶଗ୍ରହଣ କରିବେ । ଓଡ଼ିଶା ଫୁଡ଼ ପ୍ରୋ ୨୦୨୨କୁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ୟୁଟ୍ୟୁବ, ଫେସବୁକ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲାଯାଇଛି । ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଦିଗରେ ଥିବା ସୁଯୋଗ, ଭିତ୍ତିଭୂମି, ବଜାର ବ୍ୟବସ୍ଥା, ବ୍ରାଣ୍ଡିଂ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ। ଆଜି ଏନେଇ ଆୟୋଜିତ କର୍ଟନ ରେଜର କାର୍ଯ୍ୟକ୍ରମରେ ଏହି ସୂଚନା ଦିଆଯାଇଛି ।