ଏଣିକି ବିବାହ ଉତ୍ସବରେ ବାଜିବ ଡିଜେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଏଣିକି ବିବାହ ଓ ଅନ୍ତେଷ୍ଟି କ୍ରିୟାରେ ଅଧିକ ଲୋକ ଯୋଗ ଦେଇପାରିବେ। ବିବାହରେ ବରଯାତ୍ରୀ ନାଚି ପାରିବେ, ପ୍ରୋସେସନ୍ ହୋଇପାରିବ, ଡିଜେ ବାଜିପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ ସଂଶୋଧନ କରାଯାଇଥିବାବେଳେ ମଙ୍ଗଳବାର ଏନେଇ ନୂଆ ଗାଇଡ଼ଲାଇନ୍ ଜାରି କରାଯାଇଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି।
ଏନେଇ ଏକ ବିବୃତ୍ତିରେ ଶ୍ରୀ ଜେନା କହିଛନ୍ତି, କୋଭିଡ ମହାମାରୀ ହେତୁ ପୂର୍ବରୁ ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ରାଜ୍ୟ ସରକାର ମଙ୍ଗଳବାର ପ୍ରତ୍ୟାହାର କରିଛନ୍ତି। ବିବାହରେ ଏବେ ପ୍ରୋସେସନକୁ ସର୍ତ୍ତମୂଳକ ଭାବେ ଅନୁମତି ଦିଆଯାଇଛି। ପ୍ରସେସନ ପାଇଁ ଏବେ ବି ମଧ୍ୟ କିଛି ସର୍ତ୍ତ ରଖାଯାଇଛି। ଗାଇଲଡ୍ଲାଇନରେ ପ୍ରୋସେସନକୁ ଅନୁମତି ଦେବା ସହ ବିବାହ ଉତ୍ସବରେ ସର୍ବାଧିକ ୨ଶହ ଜଣ ଲୋକଙ୍କୁ ଅନୁମତି ମିଳିଛି। ଅର୍ଥାତ୍ ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ବାହାଘର ଉତ୍ସବରେ ମୋଟ ୨ଶହ ଲୋକ ରହିପାରିବେ ବୋଲି ଗାଇଡଲାଇନରେ କୁହାଯାଇଥିବା ଏସଆରସି ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ଏଥିସହ କଣ୍ଟେନମେଣ୍ଟ ସ୍ଥାନରେ ମାତ୍ର ୫୦% ବ୍ୟକ୍ତିଙ୍କୁ ନେଇ ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ଆୟୋଜିତ ହୋଇପାରିବ। କଣ୍ଟେନମେଣ୍ଟ ମୁକ୍ତ ଅଞ୍ଚଳରେ ସ୍ଥାନ ଓ ଆକାରକୁ ଦୃଷ୍ଟିରେ ରଖି, ଉପଯୁକ୍ତ ସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ବୋଲି ମଧ୍ୟ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ବିବାହ ଉତ୍ସବକୁ ଆସିଥିବା ସମସ୍ତ ବ୍ୟକ୍ତି ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସମସ୍ତ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ କରାଯାଇଛି। ତେବେ ଡିସେମ୍ବର ୩୧ ତାରିଖରେ ମଧ୍ୟ ନୂଆ ବର୍ଷ ପାଳନକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର। ଏଥିରେ ବିବାହ ଉତ୍ସବ ସମ୍ପର୍କରେ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଥିଲା। ଏହି ଗାଇଡଲାଇନରେ ମଧ୍ୟ ବିବାହ ଉତ୍ସବ ପାଇଁ ୨୦୦ ଲୋକଙ୍କୁ ଅନୁମତି ମିଳିଥିଲା ଓ ଅନ୍ତେଷ୍ଟିକ୍ରିୟା ପାଇଁ ୧୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଥିଲା।