ତାଲାବନ୍ଦ ବେଳେ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା, ଚାଲିବ କୃଷିକାର୍ଯ୍ୟ

ଭୁବନେଶ୍ବର,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ରାଜ୍ୟରେ ଏପ୍ରିଲ ୩୦ ତାରିଖ ଯାଏଁ ଲଡଡାଉନ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହା ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ହୋଇଥିବାବେଳେ କିଛି ନିମୟରେ ପରିବର୍ତ୍ତନ ଅଣାଯାଇଛି। ଏଥିରେ ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ।ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିବା ତାଲାବନ୍ଦ କଟକଣା ଆସନ୍ତା କାଲି ତଥା ଏପ୍ରିଲ ୧୪ ତାରିଖ ରାତି ୯ଟାରେ ଶେଷ ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତର ରଖିଛନ୍ତି । ଫଳରେ ୧୫ ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ କଟକଣା ଆରମ୍ଭ ହେଉଛି । ତେବେ ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତାଲାବନ୍ଦ କଟକଣାରେ କିଛି ପରିବର୍ତ୍ତନ ଅଣାଯାଇଛି । ଫଳରେ ଏହି ସମୟରେ ରାଜ୍ୟରେ ଜରୁରୀ ସେବା ବ୍ୟତୀତ ଆଉ କିଛି ଦରକାରୀ କାର୍ଯ୍ୟ ମଧ୍ୟ ଲୋକମାନେ କରିପାରିବେ, ହେଲେ ଏସବୁ ମଧ୍ୟରେ ବି ସାମାଜିକ ଦୂରତ୍ୱ ପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିରେ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର ।

ଏହି ଲକଡାଉନ ସମୟରେ ଅନଲାଇନରେ ସାମଗ୍ରୀ ମଗାଇବାକୁ ସରକାର ଅନୁମତି ଦେଇଛନ୍ତି । ଏଥି ସହ ହୋଟଲେ, ରେଷ୍ଟୁରାଁ ଏବଂ ଢାବା ଖୋଲାରହିବ ସତ ହେଲେ ଏଠାରେ ବସି କେହି ଖାଇପାରିବେ ନାହିଁ । ହୋଟେଲ କିମ୍ବା ରେଷ୍ଟୁରାଁରୁ ଘରକୁ ଖାଦ୍ୟ ସାମଗ୍ରୀ ମଗାଇ ପାରିବେ । ଏ ନେଇ ଅନଲାଇନରେ ମଧ୍ୟ ଲୋକମାନେ ଯେକୌଣସି ସାମଗ୍ରୀ ମଗାଇପାରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଏଥିସହ କୃଷି ଓ ଉଦ୍ୟାନ କ୍ଷେତ୍ରରେ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଲକଡାଉନ ଅବଧି ମଧ୍ୟରେ ଚାଷୀ ଧାନ ବୁଣିବା ଏବଂ ଅମଳ କରିପାରିବେ। ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ବ୍ୟବହାର ହୋଇପାରିବ ବୋଲି ପ୍ରଦୀପ ଜେନା କହିଛନ୍ତି।

ଏହା ସହିତ ସାର, କୃଷି ଯନ୍ତ୍ରପାତି ସହ ଜଡ଼ିତ ଦୋକାନ ଖୋଲା ରହିବ, ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ, କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ ଏବଂ ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ, ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ୍-ଟ୍ରାକ୍ଟର୍ ଚଳାଚଳ କରିପାରିବ ବୋଲି ସେ କହିଛନ୍ତି। ସେହିପରି ଚାଷୀଙ୍କୁ ଖରିଫ୍ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ସେବା ଯୋଗାଇବେ ବୋଲି ସେ ସୂଚନା ଦେଇଛନ୍ତି। ଠିକ୍ ସେହିପରି ଲକଡାଉନ ସମୟରେ ମତ୍ସ୍ୟ ପାଳନ ଓ ଚାଷ କାର୍ଯ୍ୟ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି।