ମୁନିଗୁଡ଼ାରେ ସାମାଜିକ ସଦଭାବନା ସଭା ଅନୁଷ୍ଠିତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ମୁନିଗୁଡ଼ା ସଦଭାବନା ସମିତି ତରଫରୁ ଏକ ସାମାଜିକ ସଦଭାବନା ସଭା ଆୟୋଜିତ ହୋଇଯାଇଛି । ମୁନିଗୁଡ଼ା ସଦଭାବନା ସମିତିର ଆବାହାକ ରାମକୃଷ୍ଣ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ କବିରାଜ ପ୍ରଦୀପ ସାହୁଙ୍କ ସଂଯୋଜିତ ଏହି ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଷମକଟକ ବ୍ଲକର ସାମାଜିକ କର୍ମୀ ମୂରଲୀଧର ବେହେରା ଓ ସମ୍ମାନିତ ଅତିଥିଭାବେ ଗୁଣୁପୁରର ବିଶିଷ୍ଟ ସମାଜସେବୀ ଗୋପାଳକୃଷ୍ଣ ଦେବବ୍ରତ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ପ୍ରଦୀପ ସାହୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ସଭାପତି ଶ୍ରୀଯୁକ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଦେବବ୍ରତ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବିଦେଶୀ ରାଷ୍ଟ୍ରଙ୍କ ଚକ୍ରାନ୍ତ ଫଳରେ ଘଟୁଥିବା ଅଘଟଣ ବିଷୟରେ ଆଲୋକପାତ କରିବା ସହ ଆମ ଅଞ୍ଚଳରେ ବିଦେଶୀ ବଙ୍ଗଳାଦେଶୀଙ୍କ ଅନୁପ୍ରବେଶ ଓ ବିଭିନ୍ନ ଅଞ୍ଚଳରେ ବେପାର ନାଁରେ ସ୍ଥାୟୀଭାବେ ନାଗରିକତ୍ୱ ହାସଲ କରିବାକୁ ନେଇ ସତର୍କ କରାଇଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ବେହେରା ଭାରତବର୍ଷର ପୁତ୍ରରୂପୀ ହିନ୍ଦୁ ସମାଜ ନିଜ ନିଜ ମଧ୍ୟରେ ଜାତି, ବର୍ଣ୍ଣ, ମତ ଓ ପନ୍ଥ ଭେଦଭାବ ଭୁଲି ଏକାଠି ହେବାକୁ ଆହ୍ୱାନ ଦେବାସହ କଶ୍ମିରୀ ଓ ପୂର୍ବ ଭାରତ ରାଜ୍ୟମାନଙ୍କରେ ଘଟିଥିବା ଘଟଣାର ଉଦାହରଣ ଦେଇଥିଲେ । ସେହିପରି ବିପ୍ର ପଲକିଆ, ଧୋବ ପାସ୍କା, ଭରତବନ୍ଧୁ ନାୟକ, ଗିରିଜା ମିଶ୍ର, ଗଣେଶ ସେଠୀ, ଉମାକାନ୍ତ ବେର ଦଳେଇ, ଜାମୀ ମହେଶ, ସୁଧାକର ମହାରଣା, ଶ୍ୟାମସୁନ୍ଦର ପାତ୍ର, ପି.ମୋହନ ରାଓ,ବୀରଭଦ୍ର ଆଚାର ଓ ସରୋଜ ପଲକିଆ ପ୍ରମୁଖ ଅନେକ ବ୍ୟକ୍ତି ସାମାଜିକ ସଦଭାବନା ଆଲୋଚନା ଉପରେ ଭାଗ ନେଇଥିଲେ । ମୁନିଗୁଡ଼ା ଅଞ୍ଚଳରେ କିପରି ସାମାଜିକ ସଦଭାବ ବଜାୟ ରହିବ, ଦେଶ ମାତୃକା ପ୍ରତି ସଭିଙ୍କ ଦାୟିତ୍ୱବୋଧତା ବଢ଼ିବ ଓ ଧର୍ମ ସଂସ୍କୃତିର ସୁରକ୍ଷା ରହିବ ସେନେଇ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା ।