ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାମାରୀ କରୋନା କଟକଣା ଦେଶବ୍ୟାପୀ ଚାଲିଥିବାବେଳେ ଅନେକ ସ୍ଥାନରେ କଟକଣାକୁ ବେଖାତିର କରାଯାଉଛି। ଦୀର୍ଘ ୫ମାସ ଧରି ମହାମାରୀ କରୋନା ବା କୋଭିଡ୍-୧୯ ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ୫ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟ ୭୦ହଜାର ଛୁଇଁଥିବାବେଳେ ଓଡ଼ିଶାରେ ୫ଶହ ଟପିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ କୌଣସି ଭ୍ୟାକସିନ୍ ବହାରି ପାରିନଥିବାରୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଏକମାତ୍ର ରକ୍ଷାକବଚ ଭାବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପ୍ରାଧାନ୍ୟ ଦିଆଯାଉଛି।
ଏଥିପାଇଁ ସରକାରୀ ହେଉ ଅବା ବେସରକାରୀ ସ୍ତରରେ ସଚେତନତା ବାର୍ତ୍ତା ଦିଆଯାଉଛି। କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ଅନେକ ନିୟମ ଉଲ୍ଲଙ୍ଘନକାରୀ ବ୍ୟକ୍ତି ମାସ୍କ ବ୍ୟବହାର ନକରିବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଏକତ୍ରିତ ହେଉଥିବାର ଦେଖିବାକୁ ମିଳିଛି। ସାମାଜିକ ଦୂରତାକୁ ମାନିବା ଦୂରର କଥା ବାରମ୍ବାର ସଚେତନ କରିବା ପରେ ମଧ୍ୟ ସମସ୍ତ କଟକଣାକୁ ବେଖାତିର କରୁଥିବା ନଜର ଆସିଛି। କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୩ ତାରିଖରୁ ଓଡ଼ିଶାରେ ଲକଡାଉନ୍ କରାଯାଇଥିଲା। ଧୀରେ ଧୀରେ ଲକଡାଉନ୍ କଟକଣାକୁ କଡ଼ାକଡ଼ି କରାଯିବା ପରେ ଘରେରହି ସୁରକ୍ଷିତ ରହିବାକୁ ଆହ୍ୱାନ ଦିଆଗଲା। ବିନା କାମରେ ବା ଅଯଥାରେ ବାହାରକୁ ବାହାରୁଥିବା ଲୋକଙ୍କଠାରୁ ଫାଇନ୍ ମଧ୍ୟ ଆଦାୟ କରାଗଲା।
ଦୀର୍ଘ ୬ ମାସ କାଳ ସଟଡାଉନ୍, ଲକଡାଉନ୍ର ଅବଧି ମଧ୍ୟରେ ଅନେକ ଗରିବ ଖଟିଖିଆଙ୍କ ଆର୍ଥିକ ସମସ୍ୟା ବଢ଼ିବାରେ ଲାଗିଲା। ଜୀବନଜୀବିକାକୁ ଲକ୍ଷ୍ୟ କରି ସରକାର ଲକଡାଉନ୍ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଏହାର ଫାଇଦା ଉଠାଇଛନ୍ତି ଅନେକ ବେପରୁଆ ବ୍ୟକ୍ତି। ଗୋଟେ ପଟେ ସଂକ୍ରମଣକୁ ରୋକିବାକୁ ସରକାର ଅନେକ କଟକଣା ଜାରି କରୁଥିବାବେଳେ ବିଭିନ୍ନ ସ୍ଥାନରେ ଏହି ନିୟମକୁ ଅବମାନନା କରାଯାଉଛି। ଅନଲକ୍-୪ରେ ସମସ୍ତ ଦୋକାନବଜାର ଖୋଲାଯିବାକୁ ଘୋଷଣା କରାଯିବାପରେ ପରିସ୍ଥିତି ଅସମ୍ଭାଳ ପାଲଟିଛି। ଗାଁଠାରୁ ଆରମ୍ଭ କରି ସହରର ପ୍ରମୁଖ ସ୍ଥାନମାନଙ୍କରେ ଜନଗହଳି ଦେଖିବାକୁ ମିଳିଛି। ରାଜଧାନୀର ଗଳିକନ୍ଦିରେ ରୁଣ୍ଡ ହୋଇ ଗପସପ କରିବା, ତାସ୍ ଖେଳିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲେ ବି ଅଧିକାଂଶ ଲୋକ ମାସ୍କ ବ୍ୟବହାର ନକରି ବେପରୁଆ ଢଙ୍ଗରେ ହାଟ ବଜାରରେ ବୁଲୁଥିବାର ଦେଖିବାକୁ ମିଳିଛି। ସେହିପରି ରାଜଧାନୀର ରାସ୍ତାକଡ଼ରେ ରହିଥିବା ଚା’ ଦୋକାନ, ଜଳଖିଆ ଦୋକାନରେ ନାହିଁନଥିବା ଭିଡ଼ ଜମୁଛି।
ଏମିତିକି ବ୍ୟବସାୟୀମାନେ ମାସ୍କ ବ୍ୟବହାର କରୁଥିବାବେଳେ ଗ୍ରାହକମାନଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଉଥିଲେ ବି ଗ୍ରାହକମାନେ ବିଭିନ୍ନ ବହାନା ଦେଖାଉଥିବା ଦୋକାନୀମାନେ କହିଛନ୍ତିି। ପେଟପାଟଣାକୁ ଆଖିଆଗରେ ରଖି ସରକାର ଅନଲକ୍-୪ରେ କଟକଣାକୁ କୋହଳ କରିଥିଲେ ବି ଅନେକ ବ୍ୟକ୍ତି ସଚେତନ ହୋଇପାରୁନାହାନ୍ତି। ଫଳରେ ନିଜେ ସଂକ୍ରମଣ ହେବା ସାଙ୍ଗକୁ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ ଭିତରକୁ ଟାଣି ନେଉଛନ୍ତି। ତେଣୁ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତି କିମ୍ବା ସାମାଜିକ ଦୂରତାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସାଙ୍ଗକୁ ସେମାନଙ୍କଠାରୁ ଫାଇନ୍ ଆଦାୟ ନେଇ ସରକାର କଠୋର ପଦକ୍ଷେପ ନିଅନ୍ତୁ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।