ଭୁବନେଶ୍ୱର,ଏନ୍ଏନ୍ଏସ୍: ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି(ନନ୍ଦ ସାର୍)ଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୩୦ ତାରିଖରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ବୟସାଧିକ୍ୟ କାରଣ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନନ୍ଦ ସାର୍ଙ୍କୁ ସମ୍ ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଛି।
ଡାକ୍ତର ସ୍ମୃତିରଞ୍ଜନ ମୁଦୁଲି ଓ ଟାଟା ମେଡିକା ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ସୂତାରଙ୍କ ପରାମର୍ଶକ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଏକ ଆଡାଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ଭୁବନେଶ୍ୱର ପଠାଯାଇଥିଲା। ଏହି ସ୍ଥାନାନ୍ତର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ, ଏଡିଏମ୍ଓ ଡା. ସୁଧାଂଶୁ ଶେଖର ବଳ, ନନ୍ଦ ସାର୍ଙ୍କ ନାତି ସର୍ବେଶ୍ୱର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶତାୟୁ ନନ୍ଦ ସାର୍ ଏଇ ନିକଟରେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ସେତେବେଳେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।