୮ରୁୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୮ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେହାଲ ହୋଇପଡ଼ିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏପରିକି ୪ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ମଧ୍ୟ ଦିଆଯାଇଛି। ସେହିପରି ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଲାଗି ରହିଥିବା ବର୍ଷା କାରଣରୁ ବିଭିନ୍ନ ଜଳଭଣ୍ଡାରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଋଷିକୂଲ୍ୟା ଓ ଧନେଇ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆସିକା, ହିଞ୍ଜିଳି, କବିସୂର୍ଯ୍ୟନଗର ଆଦି ସ୍ଥାନରେ ବିଭିନ୍ନ ପୋଲ ଉପରେ ପାଣି ଚାଲୁଛି । ଏହାକୁ ନଜରରେ ରଖି ସମସ୍ତ ସ୍କୁଲ ଓ ଅଙ୍କନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଶିକ୍ଷକମାନେ ସ୍କୁଲକୁ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କୋରାପୁଟ ଲମତାପୁଟର ଜଲାପୁଟ ଜଳଭଣ୍ଡାରର ୩ଟି ଗେଟ୍ ଖୋଲାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୨୭୪୮.୬୮ ମିଟର୍‌ ଓ ଜଳଭଣ୍ଡାରର ବିପଦ ସଂକେତ ରହିଛି ୨୭୫୦ ମିଟର୍‌ । ସେହିପରି ଇନ୍ଦ୍ରାବତୀ ନଦୀର ଉପରେ ଥିବା ଦୁଇଟି ଡ୍ୟାମ୍‌ରେ ଜଳ ପତ୍ତନ ବୃଦ୍ଧି ପାଇବାରୁ ୪ଟି ଗେଟ୍‌ ଖୋଲାଯାଇଛି । ଇନ୍ଦ୍ରାବତୀ ଡ୍ୟାମ୍‌ ଓ ମୁରାନ୍‌ ଡ୍ୟାମ୍‌ର ଦୁଇଟି ଲେଖାଏଁ ଗେଟ୍‌ ଖୋଲି ଦିଆଯାଇଛି । ଡ୍ୟାମ୍‌ ଭିତରକୁ ୮୨୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ୮୨୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଏହା ସହିତ ମାଛ କୁଣ୍ଡରେ ମଧ୍ୟ ସମାନ ସ୍ଥିତି ଉପୁଜିବାରୁ ୮ଟିରୁ ୪ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ ଭିତରକୁ ୨୨ ରୁ ୨୩ ହଜାର କ୍ୟୁସେକ୍‌ ଜଳ ପଶୁଥିବାବେଳେ ୧୨ ହଜାର କ୍ୟୁସେକ୍‌ ଜଳ ବାହାରୁଛି।