ଦିଲଜିତଙ୍କ ସହ ସିଲଭର ସ୍କ୍ରିନରେ ନଜର ଆସିବେ ସେହେନାଜ

ମୁମ୍ବାଇ: ବିଗବସରୁ ପରିଚିତ ହୋଇଥିବା ସେହେନାଜ ଗିଲଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ‘ପଞ୍ଜାବର କ୍ୟାଟ୍ରିନା କୈଫ’ ସେହେନାଜ ଏବେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଆଜ୍ଞା ହଁ, ସେହେନାଜଙ୍କ ନୂଆ ଫିଲ୍ମକୁ ନେଇ ଘୋଷଣା ସରିଛି। ସେହେନାଜ ଅଭିନୟ କରିବାକୁ ଯାଉଥିବା ପଞ୍ଜାବୀ ଫିଲ୍ମର ଶୀର୍ଷକ ‘ହୋଁସଲା ରଖ’ ରଖାଯାଇଛି। ଏହି ଫିଲ୍ମରେ ସେ ଅଭିନେତା ଦିଲଜିତ ଦୌସାଞ୍ଜ ଓ ସୋନମ ବାଜବାଙ୍କ ସହ ନଜର ଆସିବେ। ଫିଲ୍ମ ସମାଲୋଚକ ତରଣ ଆଦର୍ଶ ସୋସିଆଲ ମିଡିଆରେ ଏହି ସୂଚନା ପ୍ରଦାନ କରିଛନ୍ତି। ଅମରଜୀତ ସିଂ ସରୋନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମଟି ୨୦୨୧ ଅକ୍ଟୋବର ୧୫ ତାରିଖରେ ରିଲିଜ ହେବ।

ସେହେନାଜ ବିଗବସରେ ନିଜର କମେଡି ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ କନେକ୍ସନକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲେ। ବିଗବସରୁ ବାହାରିବା ପରେ ସେହେନାଜଙ୍କର ଅନେକ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି। ଏବେ ତାଙ୍କ ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ ବହୁତ ବଢ଼ିଯାଇଛି। ଆଗାମୀ ଦିନରେ ବାଦଶାହଙ୍କ ସହ ‘ଟପ୍ ଟୁକର’ ନାମକ ଏକ ମ୍ୟୁଜିକ ଭିଡିଓରେ ସେହେନାଜଙ୍କୁ ଦର୍ଶକ ଦେଖିବାକୁ ପାଇବେ।