ପୁଅ ଦୋଷୀ କି ନାହିଁ ତାହା ସେ ଓ ଭଗବାନ ଜାଣିଥିବେ…

ନୟାଗଡ଼: ନାବାଳିକା ଘଟଣାରେ ଦୋଷୀକୁ ଧରିବାକୁ ରାଜ୍ୟ ସରକାର ଏସଆଇଟିକୁ ଦାୟିତ୍ୱ ଦେଇଥିଲେ। ଏସଆଇଟି ଏହି ଘଟଣାରେ ସରୋଜ ସେଠୀକୁ ଗିରଫ କରିଛି। କେବଳ ଏତିକି ନୁହେଁ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ବୋଥ୍ରା କହିଛନ୍ତି ଯେ ପୂରା ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। ତେବେ ସରୋଜଙ୍କୁ ଦୋଷୀ ବୋଲି ମାନିପାରୁନାହାନ୍ତି ତାଙ୍କ ମାଆ।

ବୁଧବାର ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସେ କେମିତି ଏମିତି ପାପୀ ହୋଇପାରିଲା ? ଏତେ ଦିଅଁ ଦେବତା ପୂଜା କରି ତାକୁ ଜନ୍ମ କରିଥିଲି। ଏସ୍ଆଇଟି ତା’ କାମ କରୁଛି। ଆଜି ଘରକୁ ଆସି ଗାମୁଛା ନେଇଛନ୍ତି। ପୁଅ କ’ଣ ଭୁଲ କରିଛି କି ନାହିଁ ସେକଥା ସେ ଆଉ ଭଗବାନ ଜାଣିଥିବେ। ଆମେ କିଛି ଜାଣିନାହୁଁ। ସେ ପିଲା ଲୋକ, କ’ଣ କହିଦେଇଛି। ପ୍ରକୃତରେ ସେ ଦୋଷ କରିଛି କି ନାହିଁ ସେ ହିଁ ଜାଣିଛି। ଆମେ ଯିବାବେଳେ ସେ କାନ୍ଦୁଥିଲା। ତେଣୁ ପୁଲିସ ମାରିଥିବ ବୋଲି ଆମେ ଭାବିଲୁ। ମାଡ଼ମାରିବା ବେଳେ ମୁଁ ଦେଖିନାହିଁ ବୋଲି କହିଛନ୍ତି ସରୋଜର ମା’। ସମସ୍ତଙ୍କୁ ମୁଣ୍ଡିଆ ମାରୁଛି ମୋ ପିଲା ଭଲରେ ଥାଉ। ଭୁଲର କ୍ଷମା ଅଛି, ସେ ଯଦି ଭୁଲ କରିଛି ତେବେ ଭଗବାନ ତା’ର ବିଚାର କରିବେ। ଏସ୍ଆଇଟି ଆଗରେ କ’ଣ ଭୁଲ କରିଛି ବୋଲି କହିଛି ସେ ନିଜେ ହିଁ ଜାଣିଥିବ। ଏହାସହ ଆମେ ସମସ୍ତେ ଘରେ ରହୁଛୁ । ୧୦ଟାରେ ମାରିଲା ୪ଟାରେ ଫୋପାଡିଲା ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଆମେ ତ ଘରେ ଥିଲୁ ଜାଣିପାରିଲୁ ନାହିଁ କେମିତି?