ମୁମ୍ବାଇ, ଏଜେନ୍ସି : ଆମେରିକା ଯିବା ପାଇଁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମିଳିଲା ପାଞ୍ଚ ବର୍ଷିଆ ଭିସା। ଚତୁର୍ଥ ପର୍ଯ୍ୟାୟ ଫୁସଫୁସ କ୍ୟାନ୍ସର ସହ ଲଢ଼ୁଥିବା ସଞ୍ଜୟ ଖୁବଶୀଘ୍ର ନ୍ୟୁୟର୍କ ଯିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କ୍ୟାନ୍ସର ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ସଞ୍ଜୟ ମୁମ୍ବାଇରେ ହିଁ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ସଦ୍ୟ ଖବର ଅନୁଯାୟୀ ଚିକିତ୍ସା ପାଇଁ ସେ ଆମେରିକା ଯିବାକୁ ପ୍ରସ୍ତୁତ ହେଉଛନ୍ତି। କ୍ୟାନ୍ସର ହୋଇଥିବା ଜାଣିବା ମାତ୍ରେ ସଞ୍ଜୟ ଆମେରିକା ଯିବାକୁ ଭିସା ପାଇଁ ଆବେଦନ କରିଥିଲେ। ତେବେ ୧୯୯୩ ବମ୍ବେ ବୋମା ବିସ୍ଫୋରଣ ସହ ସମ୍ପୃକ୍ତ ଦୋଷୀଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ତାଙ୍କୁ ପ୍ରଥମେ କ୍ଲିୟରାନ୍ସ ମିଳିବାରେ ଅସୁବିଧା ଦେଖା ଦେଇଥିଲା। ସଞ୍ଜୟଙ୍କର ଜଣେ ନିକଟତମ ବନ୍ଧୁଙ୍କ କହିବାନୁସାରେ, ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୫ ବର୍ଷିଆ ଭିସା ଦିଆଯାଇଛି। ପତ୍ନୀ ମାନ୍ୟତା ଓ ଭଉଣୀ ପ୍ରିୟାଙ୍କ ସହିତ ସେ ଖୁବଶୀଘ୍ର ନ୍ୟୁୟର୍କ ଯିବେବୋଲି ଜଣାପଡ଼ିଛି। ସଞ୍ଜୟ ଯେଉଁ ହସ୍ପିଟାଲରେ ଚିକିତ୍ସା ପାଇଁ ଆମେରିକା ଯାଉଛନ୍ତି, ପୂର୍ବରୁ ସେଠାରେ ତାଙ୍କର ମା’ ନର୍ଗିସ, ଅଭିନେତା ଋଷି କପୁର, ଅଭିନେତ୍ରୀ ମନୀଷା କୋଇରାଲା ଓ ସୋନାଲି ବେନ୍ଦ୍ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।