ଆରମ୍ଭହେଲା ସମ୍ମେଟିଭ୍‌-୧ ପରୀକ୍ଷା

କଟକ,ଏନ୍‌ଏନ୍‌ଏସ୍ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସମ୍ମେଟିଭ-୧ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲିଠାରୁ ୭ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ଓ ୮ତାରିଖରେ ପ୍ରାଟିକାଲ୍ ପରୀକ୍ଷା କରାଯିବ। ଆଜି ୨ଟି ସିଟିଂରେ ପରୀକ୍ଷା ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବାହ୍ଣ ୯ଟାବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ୧୦ଟାବେଳେ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନର ପ୍ରଥମ ସିଟିଂରେ ପରୀକ୍ଷାର୍ଥୀମାନେ ପ୍ରଥମ ଭାଷାରେ ପରୀକ୍ଷା ଦେଇଥିବାବେଳେ ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା ଦେଇଛନ୍ତି।

ପ୍ରତ୍ୟେକ ବିଷୟ ପାଇଁ ଏକ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବାବେଳେ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା। ରାଜ୍ୟରେ ୩ହଜାର ୯୩ଟି ପରୀକ୍ଷା କେନ୍ଦ୍ର କରାଯାଇ ମୋଟ ୫ଲକ୍ଷ ୭୬ ହଜାର ୨୨୩ ପିଲା ସମ୍ମେଟିଭ୍‌-୧ ପରୀକ୍ଷା ଦେଉଛନ୍ତି।

ସେଥିପାଇଁ ୩୧୧ ନୋଡାଲ୍ ସେଣ୍ଟର୍‌ରେ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯାଇଛି। ସେଥିମଧ୍ୟରୁ ୨୨ଟି ଥାନାରେ ପ୍ରଶ୍ନପତ୍ର ରଖାଯାଇଛି। ସବୁ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କପି ରୋକିବାକୁ ଚଳିତବର୍ଷ ବ୍ୟାପକ ବ୍ୟବସ୍ଥା ହୋଇଛିି। ୪ସ୍ତରୀୟ ସ୍କ୍ୱାଡ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲାବେଳେ ୬୨ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଏବଂ ୪୦ଟି ସେଣ୍ଟ୍ରାଲ୍ ସ୍କ୍ୱାଡ୍ ନିୟୋଜିତ କରାଯାଇଛି। ଆଜି କପି ରୋକିବାରେ ବୋର୍ଡ ସଫଳ ହୋଇପାରିଛି।

ସମଗ୍ର ରାଜ୍ୟରେ କେବଳ ଜଣେ ପରୀକ୍ଷାର୍ଥୀ କପିକରି ଧରାପଡ଼ିଛନ୍ତି ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ପ୍ରଥମଥର ପାଇଁ ନୂଆ ଢାଞ୍ଚାରେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ପ୍ରଥମ ଦିନ ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଛି। ପରୀକ୍ଷା ଭଲ ହୋଇଥିବା ଏବଂ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମ ସଠିକ ଭାବରେ ପାଳନ କରାଯାଇଛି ବୋଲି ପରୀକ୍ଷାର୍ଥୀ ଓ ଅଭିଭାବକମାନେ ପ୍ରକାଶ କରିଛନ୍ତି।