ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ

ଠିକା କର୍ମଚାରୀଙ୍କ ମୃତ୍ୟୁପ୍ରସଙ୍ଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୭ବର୍ଷ ଚାକିରି ପରେ ସ୍ଥାୟୀ କରିବା ପାଇଁ ବାରମ୍ବାର ଗୁହାରି କରୁଥିଲେ। ମଙ୍ଗଳବାର କୁଳପତିଙ୍କ ସହ ବଚସା ପରେ କ୍ୟାମ୍ପସ୍ ଭିତରେ ହିଁ ଆତ୍ମାହୂତି ଦେଇଥିଲେ ଦୀନବନ୍ଧୁ। ଏସସିବି ନେବା ବାଟରେ ତାଙ୍କର ମୃତ୍ୟୁହୋଇଥିଲା। ତାଙ୍କ ମୃତଦେହ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଦୀନବନ୍ଧୁଙ୍କ ଆତ୍ମାହୂତି ଘଟଣାରେ ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହାବ୍ୟତୀତ ବିଶ୍ୱବିଦ୍ୟାଳୟର ଆଉ ଦୁଇ କର୍ମଚାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏହି ଦୁଇ କର୍ମଚାରୀ ହେଲେ ହଷ୍ଟେଲ୍ ୱାର୍ଡେନ୍ ପ୍ରଫେସର୍ ବିଶ୍ୱଜିତ୍ ଶତପଥୀ ଓ ବିଶ୍ୱବିଦ୍ୟାଳୟର ପିଇଓ ଅବିନାଶ କର। ଦୀନବନ୍ଧୁଙ୍କ ପୁଅ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ବିଶ୍ୱବିଦ୍ୟାଳୟ କୁଳପତି ଓ ଅନ୍ୟ ଦୁଇ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଦୀନବନ୍ଧୁଙ୍କ ମୃତ୍ୟୁ ପରେ ସେ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଲେଖିଥିବା ଚିଠି ସାମ୍ନାକୁ ଆସିଛି। ଚିଠିରେ ସେ ଲେଖିଥିଲେ ବିନା ଦୋଷରେ କୁଳପତି ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣି ଅଶାଳୀନ ଭାଷାରେ ଗାଳିଗୁଲଜ କରିଛନ୍ତି। ନିଜ ଆଚରଣ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସାମ୍ନାରେ ଭୁଲ୍ ନମାନିଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଚିଠିରେ ଉଲ୍ଲେଖ କରିଥିଲେ। ସେହିପରି ତାଙ୍କ ମୃତ୍ୟୁ ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲ, ପିଇଓ ଏବଂ ୱାର୍ଡେନଙ୍କୁ ଦାୟୀ କରିଛନ୍ତି ଦୀନବନ୍ଧୁ। ଆତ୍ମଦାହ କରିବାର କିଛି ଘଣ୍ଟା ପୂର୍ବରୁ ଦୀନବନ୍ଧୁ ଏହି ଚିଠି ଲେଖିଥିବା ଜଣାପଡିଛି। ଦୀନବନ୍ଧୁଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟରେ କୁଳପତି ବିରୋଧୀ ସ୍ୱର ତେଜିଥିଲା। ଆଜି ସକାଳେ ଦୀନବନ୍ଧୁଙ୍କ ମୃତଦେହ ଧରି ପରିବାର ଓ ଅସ୍ଥାୟୀ କର୍ମଚାରୀ ବିଶ୍ୱବିଦ୍ୟାଳୟରେ ପହଁଞ୍ଚିଥିଲେ। କୁଳପତିଙ୍କ ବିରୋଧରେ ଏମାନେ ନାରା ଦେବା ସହ ପ୍ରଶାସନିକ ଭବନ ଆଗରେ ଧାରଣା ଦେଇଥିଲେ।