ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି : ଶାହ

କଟକ,ଏନ୍‌ଏନ୍‌ଏସ୍‌: ଗୃହମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କଟକର ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏକ ସଭାକୁ ସମ୍ବୋଧନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ର୍ରମରେ ଶାହଙ୍କ ସହ ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଜୟ ଜଗନ୍ନାଥ କହି ଶାହ ଭାଷଣ ଆରମ୍ଭ କରିଥିଲେ ।

ଏହି ଅବସରରେ ଶାହ କହିଛନ୍ତି ଯେ, ଉତ୍କଳ ଭୂମିରେ ପାଦ ଥାପିଲେ ମନରେ ଭକ୍ତିଭାବ ଆସେ । ମୁଁ ଯେବେ ବି ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଆଜି ସମସ୍ତ ଓଡ଼ିଶାବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଓଡ଼ିଶାର ଅଚ୍ଛେଦିନ ଆସିଗଲା । ଅନେକ ଓଡ଼ିଆଙ୍କୁ କେନ୍ଦ୍ରର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ଏହି ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ଭାରତର ମହାମହିମ ରାଷ୍ଟ୍ରପତି ପାଲଟିଛନ୍ତି । ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଏକ ଗର୍ବର କଥା । ଏଥିସହିତ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି । ପୁରା ଓଡ଼ିଶା ଖଣିଜ ସମ୍ପଦରେ ଭରପୁର ରହିଛି । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି ।