ଓଡ଼ିଶାରେ ଲେନ୍ ଡ୍ରାଇଭିଂ ପାଇଁ ଗୃହବିଭାଗକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି ସାଗରିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ-ଭୁବନେଶ୍ୱର ମଧ୍ୟରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରିବା ପାଇଁ ଟ୍ରାଫିକ୍ ଡିସିପି ସାଗରିକା ନାଥ ପ୍ରୟାସ କରିଛନ୍ତି। ଏନେଇ ସେ କେନ୍ଦ୍ର ଗୃହ ବିଭାଗକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ ମଞ୍ଜୁର ହେବାପରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି। ଏହି ବ୍ୟବସ୍ଥା ଦେଶରେ କୌଣସି ସ୍ଥାନରେ ଲାଗୁ ହୋଇନାହିଁ। ଯଦି ପ୍ରସ୍ତାବକୁ ମଞ୍ଜୁରି ମିଳେ। ତା’ହେଲେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ଆପଣାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ ବୋଲି ସେ କହିଛନ୍ତି।
୧୬ ନମ୍ବର ଜାତୀୟ ରାଜପଥର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ରହିଛି। ଏହି ରାସ୍ତାରେ ଲେନ୍ ଡ୍ରାଇଭିଂ ହେବା ଉଚିତ୍ ବୋଲି ଚିଠିରେ ଲେଖିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେବାଦ୍ୱାରା ଯାତ୍ରାର ସମୟସୀମା କମିବ ସହ ଦୁର୍ଘଟଣା ମଧ୍ୟ ହ୍ରାସ ହେବ। ସେହିପରି ଓଭରଟେକିଂ ହେଉଥିବା ଦୁର୍ଘଟଣା ଆଉ ହେବନାହିଁ। ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ହେବାପରେ ସବୁଠୁ ଦ୍ରୁତ ବେଗରେ ଯାଉଥିବା ଗାଡ଼ି ଡାହାଣ ପଟେ, ତା’ଠାରୁ କମ୍ ଗତିର ମଝିରେ ଓ ସବୁଠୁ ଧିରେ ଯାଉଥିବା ଗାଡ଼ି ବାମ ପଟେ ଯିବ। ଟୁଇନ୍ସିଟିରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ସଫଳ ହେଲେ, ସାରା ଓଡ଼ିଶାରେ ଏହାକୁ କରାଯାଇପାରିବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ ପ୍ରସ୍ତାବ ଦେଇଛନ୍ତି।