ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଐତିହାସିକ ଭୁଲକୁ ସୁଧାରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ
ଷ୍ଟାଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାରଙ୍କୁ ମୋଦୀଙ୍କ ସର୍ବଶ୍ରେଷ୍ଠ ସମ୍ମାନ
ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ଅଥବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମର ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର ରେଳ ଷ୍ଟାଡିୟମ ଠାରେ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ସମ୍ଭବତଃ ଭାରତ ପୃଥିବୀର ମହାଶକ୍ତି ହୋଇସାରନ୍ତାଣି। ଯେଉଁ ସର୍ଦ୍ଦାରଙ୍କ କାରଣରୁ ଦେଶରେ କୃଷି, ସମବାୟ, ସୁରକ୍ଷା ଓ ପ୍ରଶାସନ ଦ୍ୱାରା ଏକ ଲୌହ ଢାଞ୍ଚା ତିଆରି କରାଯାଇ ପାରିଥିଲା, ସେହି ସର୍ଦ୍ଦାରଙ୍କୁ ଦେଶ ମନେ ପକାଇନଥିଲା।
ମାତ୍ର ଆଜି ଦେଶରେ ତାଙ୍କ ଜୟନ୍ତୀ ଅର୍ଥାତ୍ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାରଙ୍କ ପୃଥିବୀର ସବୁଠୁ ଉଚ୍ଚ ପ୍ରତିମୂର୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସ୍ଥାପନା କରି ଦେଶର ନାଗରିକମାନଙ୍କ ମଧ୍ୟରେ ଏକ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପର ଆହ୍ୱାନ କରି ସର୍ଦ୍ଦାରଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ନୀଳଗିରି ମଧ୍ୟ ସର୍ଦ୍ଦାର ପଟେଲଙ୍କର ସହ ଦୃଢ଼ତାର ସହ ଠିଆ ହୋଇଥିଲା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବାଲେଶ୍ୱରର ନୀଳଗିରି ସର୍ବଭୌମ ଭାରତର ଅଂଶ ହୋଇଥିଲା। ଯୁଦ୍ଧ ଜାହାଜ ଆଇଏନଏସ ନୀଳଗିରି ତାହାର ପ୍ରମାଣ ବୋଲି ସେ କହିଛନ୍ତି। ଗତ ଅଗଷ୍ଟ ୫ ଓ ୬ ତାରିଖରେ ଭାରତବର୍ଷର ଐତିହାସିକ ଭୁଲକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ସାହ ସଂଶୋଧନ କରିଛନ୍ତି। ଉଭୟଙ୍କ ପ୍ରଚେଷ୍ଟାରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫(କ)ଅସ୍ଥାୟୀ ଭାବେ ଉଚ୍ଛେଦ ହୋଇପାରିଛି। ଫଳରେ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଭାରତର ଆଇନକାନୁନ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି।

