କୃଷି ଓ କୃଷକମାନଙ୍କ ସମସ୍ୟାକୁ ନେଇ ରାଜଧାନୀରେ ଗର୍ଜିଲେ କୃଷକ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଆଂଚଳିକ ବ୍ୟାପକ ଆର୍ଥିକ ଭାଗିଦାରୀ (ଆରସିଇପି) ନାମରେ କେନ୍ଦ୍ର ସରକାର କରୁଥିବା ଚୁକ୍ତିକୁ ବାତିଲ୍ କରିବା ଓ କୃଷି ଏବଂ କୃଷକର ସମସ୍ୟାକୁ ନେଇ ଗୁରୁବାର ରାଜଧାନୀରେ ଅଖିଳ ଭାରତ କୃଷକ ସଭା ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଏକ ବଡ଼ଧରଣର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ଶୋଭଯାତ୍ରା ରେଳଷ୍ଟେସନଠାରୁ ବାହାରି ଲୋୟର ପି.ଏମ.ଜି.ଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ କୃଷକ ସଭାର ସଭାପତି ଶଶିଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ କୃଷକମାନଙ୍କୁ ଉଦବୋଧନ ଦେଇ ୧୦ ଦଫା ଦାବି ଉପସ୍ଥାପିତ କରିଥିଲେ ।

ଦାବିଗୁଡ଼ିକ ହେଲା- (୧) ଡ. ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କର । (୨) ଧାନ କ୍ୱିଂଟାଲ ୩ ହଜାର ଟଙ୍କା ଧାର୍ଯ୍ୟ କର, ଅଭାବି ଧାନ ବିକ୍ରି ବନ୍ଦ କରି ଫରୱାର୍ଡ ଟ୍ରେଡିଙ୍ଗ୍ ବନ୍ଦ କରିବା ପାଇଁ ତୁରନ୍ତ ଆଇନ ପ୍ରଣୟନ କରାଯାଉ । କଳକାରଖାନା, ଖଣିଖାଦାନ ଅଂଚଳରେ କୃଷି କ୍ଷେତ୍ରରେ ହେଉଥିବା ବ୍ୟାପକ ଜଳ, ବାୟୁ ପ୍ରଦୂଷଣକୁ ତୁରନ୍ତ ବନ୍ଦ କରାଯାଉ । (୩) ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁ କ୍ଷତି ହୋଇଥିବା ଫସଲର ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । ସମସ୍ତ ଚାଷୀଙ୍କ ଉପରୁ କୃଷି ଋଣ ଛାଡ଼ କରାଯାଉ। (୪) ୬୦ ବର୍ଷରୁ ଊଦ୍ଧ୍ୱର୍ ପ୍ରତ୍ୟେକ ଚାଷୀଙ୍କୁ ୬ ହଜାର ଟଙ୍କା ପେନସନ୍ ପ୍ରଦାନ କର । (୫) ଭାଗଚାଷୀଙ୍କ ପାଇଁ ଆଇନ୍ ପ୍ରଣୟନ କର। (୬) ପାନ, ନଡ଼ିଆ, ଆଖୁ ଓ କାଜୁ ସମେତ ସମସ୍ତ କୃଷିଜାତ ଦ୍ରବ୍ୟର ସରକାରୀ ଦର ଧାର୍ଯ୍ୟ କର, ଏହାର ବିକ୍ରି ପାଇଁ ପ୍ରତ୍ୟେକ ବ୍ଲକରେ ସରକାରୀ କ୍ରୟ ବ୍ୟବସ୍ଥା କରାଯାଉ (୭) ବାଧ୍ୟତାମୂଳକ ଓ ସାର୍ବଜନୀନ ଫସଲ ବୀମା ପ୍ରଚଳନ କରାଯାଉ ଓ ସରକାରୀ ବୀମା ରାଶି ଭରଣା କରିବା ସହ ଫସଲ ବୀମା କ୍ଷେତ୍ରରେ ଘରୋଇ ବୀମା ପ୍ରଚଳନ ବନ୍ଦ କରାଯାଉ । (୮) ଦଖଲ ଜମି ଓ ବାସ କରୁଥିବା ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ । (୯) ବ୍ୟାଙ୍କ ଋଣକୁ ସରଳୀକରଣ କରାଯାଇ ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇ ଦିଆଯାଉ। (୧୦) କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାମାନଙ୍କରେ ଦୀର୍ଘବର୍ଷ ଧରି ଚାଷ କରିଆସୁଥିବା କନ୍ଧା ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ । ବନ୍ୟଜନ୍ତୁ ଦ୍ୱାରା କ୍ଷୟକ୍ଷତି ହେଉଥିବା ଅଂଚଳ ମାନଙ୍କରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ।

ଏହି ଦାବିକୁ ସମର୍ଥନ କରି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଡ. ପ୍ରଶାନ୍ତ ମିଶ୍ର, ଶ୍ରୀହର୍ଷ ରଥ, ସନାତନ ପାତ୍ର, ସୁର ଜେନା ଓ ହୃଷିକେଶ ମିଶ୍ର ପ୍ରମୁଖ କେନ୍ଦ୍ର ବିଜେପି ସରକାର ସମୟରେ କୃଷକମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବୃଦ୍ଧି ପାଇଛି ବୋଲି ଅଭିଯୋଗ କରିଥିଲେ । ଦୁଗ୍ଧ, ଧାନ, ନଡ଼ିଆ, ପାନ, ଆଖୁ ପ୍ରଭୃତି ଚାଷ ଗ୍ରାମାଞ୍ଚଳର ଆର୍ଥିକ ମେରୁଦଣ୍ଡ ହୋଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଦେଶୀ ବିଦେଶୀ କମ୍ପାନୀମାନଙ୍କ ହାତକୁ ଟେକି ଦେଉଛନ୍ତି । କେନ୍ଦ୍ର ସରକାର ଦେଇଥିବା ସ୍ୱାମୀନାଥନ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରିବା ପ୍ରତିଶ୍ରୁତି ପାଳନ କରି ଆମ ଦେଶକୁ ବିଦେଶରୁ କୃଷି ଉତ୍ପାଦ ଆମଦାନୀରେ ଶୁଳ୍କ ଛାଡ଼ ଚୁକ୍ତି କରିବାକୁ ଯାଉଛନ୍ତି । ଅପରପକ୍ଷରେ ଚାଷୀ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଥିପାଇଁ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଘାତକ ସାଜିଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।