ସ୍ମାର୍ଟସିଟିରେ ହେବ ରିଂ ରୋଡ୍

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ବରରେ ଖୁବଶୀଘ୍ର ନିର୍ମାଣ ହେବ ରିଂ ରୋଡ୍ । ଜମି ଅଧିଗ୍ରହଣ ଜନିତ ସମସ୍ୟା ପ୍ରକଳ୍ପ ପାଇଁ ସାଜିଥିଲା ବାଧକ । ସମସ୍ୟାର ସମାଧାନ ସହ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଣ୍ଟା ଭିଡ଼ିଛି ବିଡିଏ । ୬୫ କିମି ଦୂରତା ବିଶିଷ୍ଟ ଏହି ରିଂ ରୋଡ ନିର୍ମାଣ ହେଲେ ରାଜଧାନୀର ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

କାର୍ଯ୍ୟକ୍ଷମ ହେବ ବିଡିଏର ଡ୍ରିମ୍ ପ୍ରୋଜେକ୍ଟ । କମିବ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା । ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜଧାନୀ ଭୁବନେଶ୍ବରର କଳେବର । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବଢୁଛି ଯାନବାହନ ସଂଖ୍ୟା । ଫଳରେ ଟ୍ରାଫିକ୍ ସହିତ ସଡକ ଦୁର୍ଘଟଣା ଜନିତ ସମସ୍ୟା ବୃଦ୍ଧି ପାଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ବିଡିଏ କର୍ତ୍ତୃପକ୍ଷ ପକ୍ଷରୁ ରିଂ ରୋଡ ଭଳି ଏକ ଡ୍ରିମ୍ ପ୍ରୋଜେକ୍ଟ ହାତକୁ ନେଇଛି । ସହର ବାହାରେ ୬୪.୯ କିମି ଦୈର୍ଘ୍ୟର ରିଂ ରୋଡ ନିର୍ମାଣ ହେବ । ୮ଟି ସ୍ଥାନରେ ଟାଉନ୍ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହା ହେଲେ ରିଂ ରୋଡ ନିର୍ମାଣ ପାଇଁ ସହଜ ହେବ । ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସହ ଜମି ଅଧିଗ୍ରହଣକୁ ନେଇ ପୂର୍ବରୁ ଥିବା ପ୍ରତିବନ୍ଧକ ଦୂର ହୋଇଛି । ରିଂ ରୋଡ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରି ଶେଷ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ କହିଛନ୍ତି

କଟକ-ପୁରୀ ବାଇପାସ ପରେ ଏବେ ରିଂ ରୋଡ ନିର୍ମାଣ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ସହର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ସମସ୍ୟା ହେଉଛି । ଏଥିପାଇଁ ଯଦିଓ ଏକାଧିକ ଫ୍ଲାଇ ଓଭର କରାଯାଇଛି ତଥାପି ରିଂ ରୋଡ ନିର୍ମାଣ ଜରୁରୀ ବୋଲି କହିଛନ୍ତି ଟାଉନ ପ୍ଲାନର ମନୋଞ୍ଜୟ ରଥ । ସେପଟେ ଭୁବନେଶ୍ବର ବାହାରେ ରିଂ ରୋଡ ନିର୍ମାଣ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ।