ଭୁବନେଶ୍ୱର, ଏନ୍ଏନ୍ଏସ୍ : ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ କରାଯାଉଥିବା ୫-ଟି ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକ କରିଛନ୍ତି । ଶକ୍ତି ବିଭାଗରେ ୫-ଟି କିଭଳି କାର୍ୟ୍ୟ କରୁଛି ତାହା ପରଖିବା ଅବସରରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ଜଣାଇଥିଲେ ଯେ ରାଜ୍ୟବାସୀ ଯେପରି ବିଦ୍ୟୁତ ସେବା ପାଇବାରେ ବଂଚିତ ହେବେ ନାହିଁ ସେହି ଦିଗରେ ବିଦ୍ୟୁତ ବିଭାଗ ସଦାସର୍ବଦା ଯତ୍ନବାନ ହେବା ଆବଶ୍ୟକ ।
ଉପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ୱଳ୍ପ ସମୟରେ ନିଜ ଗୃହକୁ ବିଦ୍ୟୁତ ସଂଯୋଗ ପାଇବେ, ତା’ର ସରଳ ପ୍ରକ୍ରିୟାକରଣ ଏବଂ ବିଦ୍ୟୁତ ଦେୟ ସଂଗ୍ରହ ଦିଗରେ ମଧ୍ୟ ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଓଡ଼ିଶା ବିଜୁ ସଂଯୋଗ ଅନଲାଇନ ରେଜିଷ୍ଟ୍ରେସନ କରି ଉପଭୋକ୍ତାମାନେ ୪୮ ଘଂଟାରେ ନୂତନ ବିଦ୍ୟୁତ ସଂଯୋଗ ପାଇପାରିବେ ଏବଂ ସେଗୁଡ଼ିକର ତଥ୍ୟ ୱେବ ଓ ନିଜର ଅତ୍ୟାଧୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ ।
ରାଜ୍ୟର ସବୁ ଅଂଚଳର ଉପଭୋକ୍ତାଗଣ ଅନଲାଇନ ଦ୍ୱାରା ନିଜର ମାସିକ ବିଦ୍ୟୁତ ଦେୟ ପ୍ରଦାନ କରିପାରିବେ । ସମ୍ପ୍ରତି ପ୍ରି ପେଡ୍ ୱାଲେଟ୍ ପ୍ରକ୍ରିୟାକରଣ କାର୍ୟ୍ୟ ଚାଲିଛି । ଏହାଦ୍ୱାରା ଉପଭୋକ୍ତାମାନଙ୍କ ଗୃହକୁ ଯାଇ ବିଦ୍ୟୁତ ଦେୟ ସଂଗ୍ରହ ହେବ । ଉକ୍ତ ସମୟରେ ଅନ୍ଲାଇନ ଅର୍ଥ ପଇଠ କଲେ ଅତିରିକ୍ତ ୨ ପ୍ରତିଶତ ଉପଭୋକ୍ତାଗଣ ପାଇପାରିବେ । ଉପଭୋକ୍ତାଗଣ ନିକଟସ୍ଥ ପୋଷ୍ଟ ଅଫିସ୍କୁ ଯାଇ ଅର୍ଥ ପୈଠ କରିପାରିବେ ଏବଂ ନିଜର କାଡର଼୍ ଜରିଆରେ ମଧ୍ୟ ବିଦ୍ୟୁତ ଦେୟ ପଇଠ କରିପାରିବେ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନା କରାଯାଇ ବିଦ୍ୟୁତ ଦେୟ ସଂଗ୍ରହ କରାଯିବାର କାର୍ୟ୍ୟକାରୀତା ନେଇ ବୈଠକରେ ଆଲୋଚନା ହୋଇଥିଲା । ଫୋନ୍ ଦ୍ୱାରା ୨୪ ଘଂଟିଆ ଗ୍ରାହକମାନଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସେ ସମ୍ପର୍କରେ ତଥ୍ୟ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ଜାଣିବାକୁ ପାଇଥିଲେ । ପ୍ରାକୃତିକ ବିପର୍ୟ୍ୟୟ ବେଳେ ବିଦ୍ୟୁତତ୍ସେବା ଯୋଗାଇଦେବା ନିମିତ ଅତ୍ୟାଧିକ ଅର୍ଦ୍ଧକୁଶଳୀ ବିଦ୍ୟୁତ କାର୍ୟ୍ୟଦଳ ଆବଶ୍ୟକ ରହୁଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ କାର୍ୟ୍ୟଦଳଙ୍କୁ ପ୍ରଶିକ୍ଷଣ ସକାଶେ କରାଯାଉଥିବା ବିଧିବଦ୍ଧ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ପଚାରି ବୁଝିଥିଲେ ।