ହାତୀ ଘଉଡ଼ାଇବାକୁ ଯାଇ ଟ୍ରେନ୍ ଆଗରେ ପଡିଗଲେ ଚାଷୀ‌

ସମ୍ବଲପୁର, ଏନଏନଏସ : ହାତୀ ଘୋଡାଇବାକୁ ଯାଇ ଟ୍ରେନ ଲାଇନରେ ଛନ୍ଦି ଗଲେ ଜଣେ ଚାଷୀ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଢ଼ାଖୋଲ ଓ ପରେ ବୁର୍ଲା ମେଡ଼ିକାଲକୁ ପଠାଯାଇଛି।  ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ହେମାମୁରା ଗାଁରେ ଘଟିଯାଇଛି । ଗୁରୁତର ଚାଷୀଜଣକ ହେଉଛନ୍ତି ହେମାମୁରା ଗାଁର ମଧୁ ବେହେରା।

ସୂଚନାଯୋଗ୍ୟ, ଗତ ରାତିରେ ଧାନ ଫସଲ ଖାଇବାକୁ ହାତୀ ପଲ ଜମିରେ ପଶିଥିଲେ। ଖବର ପାଇ ଚାଷୀ ମଧୁ ବେହେରା( ୩୦) ଗାଁ ଲୋକଙ୍କ ସହ  ହାତୀ ଘୋଉଡାଇକୁ ଯାଇଥିଲେ । ହେଲେ ସାମ୍ନା ପଟରୁ ହାତୀ ମାଡି ଆସିବା ଭୟରେ ସେ ଟ୍ରେନ୍‌ ଲାଇନ୍‌ ପାର ହୋଉଥିବା ସମୟରେ  ତାଙ୍କ ଗୋଡ଼ ଟ୍ରାକରେ ଲାଗିଯାଇଥିଲା। ସେହି ସମୟରେ ଏକ ଟ୍ରେନ୍‌ ଉକ୍ତ ଟ୍ରାକ୍ ଦେଇ ଚାଲିଯିବାରୁ ମଧୁଙ୍କ ଗୋଡ ପୁରା କଟି ଯାଇଛି।

ଖବର ପାଇ ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ତଦନ୍ତ କରି କ୍ଷତିପୂରଣ ଦିଆଯିବ ବୋଲି ରେଢ଼ାଖୋଲ ଡିଏଫଓ ଫୋନ ଯୋଗେ ଜଣାଇଛନ୍ତି।