ସାରୁଅ ଜମି ଜାଲିଆତି ମାମଲା : ଆୟକର ବିଭାଗକୁ ତଦନ୍ତ ଲାଗି ସୁପାରିଶ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଜମି ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚକୁ ନୂଆ ତଥ୍ୟ ମିଳିଛି। ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ (ଓଆଇପିଏଲ) ବେଆଇନ ଭାବେ ଜମି ହଡପ କରିଛି। ଚଞ୍ଚକତା କରି ଜଣେ ବ୍ୟକ୍ତିଙ୍କଠାରୁ ୭.୨୯ ଏକର ଜମି ନିଆଯାଇଛି। ହେଲେ ଜମି ମାଲିକଙ୍କୁ କୌଣସି ଅର୍ଥ ଦିଆଯାଇନାହିଁ। ଏହାସହ ଜମି ନାଁରେ ବେନାମୀ ଟ୍ରାଞ୍ଜାକ୍ସନ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ଏଡିଜି ଶ୍ରୀପ୍ରିୟଦର୍ଶୀ କହିଛନ୍ତି, ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ସାରୁଅରେ ରିୟଲ ଇଷ୍ଟେଟ୍ ବ୍ୟବସାୟ ପାଇଁ ବହୁ ପରିମାଣର ଜମି କିଣୁଥିଲା। ଜମି କିଣାବିକା ପ୍ରକ୍ରିୟାରେ ଅନୁସୂଚତ ଜାତି ଲୋକ ଓ ନାମମାତ୍ର ଚାଷୀ ଥିବାରୁ ଓଡ଼ିଶା ଭୂ-ସଂସ୍କାର ଆଇନ ଅନୁସାରେ ଓଆଇପିଏଲ୍ କମ୍ପାନୀ ପାଇଁ ଅନୁସୂଚିତ ଜାତି ଲୋକଙ୍କ ଠାରୁ ସିଧାସଳଖ ଜମି କିଣିବା ସମ୍ଭବ ନଥିଲା । ତେଣୁ କମ୍ପାନୀର ଜଣେ ଅସୁସୂଚିତ ଜନତାତିର ଡ୍ରାଇଭରଙ୍କୁ ମୋହରା କରାଯାଇଥିଲା। ଆଉ ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଦ୍ୱାରା ଚଞ୍ଚକତା କରି ଦଳିତ ଚାଷୀଙ୍କ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ହଡପ କରାଯାଇଥିଲା।
ଦଳିତ ଚାଷୀଙ୍କ ଜମି ହଡ଼ପ ପାଇଁ କମ୍ପାନୀର ଡ୍ରାଇଭର ରବୀ ସେଠୀଙ୍କୁ ମୋହରା ବନାଯାଇଥିଲା। ତାଙ୍କ ନାଁରେ ୨୦୧୦ରୁ ୨୦୧୩ ଭିତରେ ୭.୨୯ ଏକର ଜମି କିଣାଯାଇଥିଲା। ଆଉ ୨୦୧୬ ଓ ୨୦୧୯ରେ ରବି ସେଠୀଙ୍କ ଠାରୁ ଓଡ଼ିଶା ଇନଫ୍ରାଟେକ୍ ଉକ୍ତ ଜମିକୁ କିଣିଥିଲା। ସେଲ ଡିଡ୍ ମୁତାବକ ଜମିର ମୂଲ୍ୟ ୬୫ ଲକ୍ଷ ଟଙ୍କା ଥିବା ବେଳେ ରବି ସେଠୀଙ୍କୁ ଟଙ୍କାଟିଏ ମଧ୍ୟ ଦିଆଯାଇନଥିଲା। ଏପରିକି ଜମି କିଣାବିକା ବାବଦରେ ତାଙ୍କୁ କୌଣସି କଥା କୁହାଯାଇଥିଲା। ଏମିତିକି ୨୦୧୦ରୁ ୨୦୧୩ ଭିତରେ ରବି ସେଠୀ କିଣିଥିବା ଜମି ବିକ୍ରି ଯାଏଁ ତାଙ୍କ ଦଖଲରେ ନଥିବା ତଦନ୍ତ ବେଳେ ଜଣାପଡିଛି। ବିଶେଷ କରି ଏହି ଜମି କିଣାବିକାରେ ବେନାମୀ ଟ୍ରାଞ୍ଜାକ୍ସନ କରାଯାଇଥିବା ତଦନ୍ତ ବେଳେ ଜଣାପଡିଛି। ବେନାମୀ ଟ୍ରାଞ୍ଜାକ୍ସନର ତଦନ୍ତ ରାଜ୍ୟ ପୁଲିସର ପରିସରଭୁକ୍ତ ନଥିବାରୁ ଆୟକର ବିଭାଗକୁ ତଦନ୍ତ ପାଇଁ ଅନୁରୋଧ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାରେ ଓଆଇପିଏଲର ନିର୍ଦ୍ଦେଶକ ତଥା ଏକ ଘରୋଇ ଟିଭି ଚ୍ୟାନେଲର ପୂର୍ବତନ ଅଧିକାରୀ ବିଭୂପ୍ରସାଦ ରଥ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି। ଏହି ଜମି ଜାଲିଆତି ମାମଲାରେ ତାଙ୍କୁ ପକ୍ଷ ରଖିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତେବେ ସାରୁଅ ଜମି କାରବାରରେ ଓଡ଼ିଶା ଭୂ-ସଂସ୍କାର ଆଇନର ଖୋଲାଖୋଲି ଉଲଂଘନ କରାଯାଇଛି। ଜଣେ ଦଳିତ ବ୍ୟକ୍ତିଙ୍କୁ ବ୍ୟବହାର କରି ବେନାମୀ ନେଣଦେଣ ଓ ଗରିବ ଦଳିତ ଚାଷୀଙ୍କ ଜମି ହଡ଼ପ ନେଇ କ୍ରାଇମବ୍ରାଞ୍ଚକୁ ପ୍ରମାଣ ମିଳିଛି।