ରାୟଗଡ଼ା,ଏନ୍ଏନ୍ଏସ୍ : ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଡ୍ରାଫ୍ଟ ପ୍ରକାଶନ କରିଛନ୍ତି । ଜିଲ୍ଲାର ରାଜନୈତିକ ଦଳର ସଦସ୍ୟମାନଙ୍କ ବିଶେଷ କରି ବିଜୁ ଜନତା ଦଳ, କଂଗ୍ରେସ, ବିଜେପି, ବହୁଜନ ଜନତା ପାର୍ଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଡ୍ରାଫ୍ଟରେ ପ୍ରକାଶିତ ତାଲିକା ଆନୁଯାୟୀ ନଭେମ୍ବର ୧୬ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଅନୁସାରେ ତ୍ରୁଟି ସଂଶୋଧନ ପାଇଁ ଭୋଟର ଦାଖଲ କରିବେ । ଏହାବାଦ ଦୁଇଟି ଶନିବାର ଓ ରବିବାରରେ ବୁଥସ୍ତରୀୟ ଅଧିକାରୀ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଅଭିଯୋଗ ଗ୍ରହଣ କରିବେ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୬ ଲକ୍ଷ ୬୬ ହଜାର ୫୩୬ ଜଣ ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୭୮ ଓ ମହିଳା ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୬୭୫ ରହିଛି। ୧୮୩ ତୃତୀୟଲିଙ୍ଗି ଭୋଟର ଅଛନ୍ତି।
ଏହି ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲାରେ ତିନୋଟି ନିର୍ବାଚନମଣ୍ଡଳୀରେ ୮୭୧ ଭୋଟ ଗ୍ରହଣ କେନ୍ଦ୍ର ପାଇଁ ୮୭୨ ବୁଥସ୍ତରୀୟ ଅଧିକାରୀ ଓ ୮୫ ସୁପରଭାଇଜର ନିଯୁକ୍ତି ଦିଆଯାଇଛି। ସବୁ ବୁଥରୁ ଅଭିଯୋଗ ଗ୍ରହଣ କଲାପରେ ଉପଜିଲ୍ଲାପାଳ ଓ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଫଇସଲା କରିବେ । ଏହାପରେ ଡିସେମ୍ବର ୧୫ ତାରିଖରେ କମିଶନଙ୍କ ଅନୁମତିକ୍ରମେ ଚୂଡ଼ାନ୍ତ ତାଲିକା ପ୍ରକାଶ ହେବ। ଡ୍ରାଫ୍ଟ ପ୍ରକାଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାଚନ ଅଧିକାରୀ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।