ରଥଯାତ୍ରାକୁ ନେଇ ସରକାର ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଚଳିତ ବର୍ଷ ରଥଯାତ୍ରାକୁ ନେଇ ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଏହା ପଛରେ ରାଜ୍ୟ ସରକାରଙ୍କ ନୀରବତା ଏକ ପ୍ରମୁଖ କାରଣ। ତେଣୁ ମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ପକ୍ଷରୁ ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ତାହାର ଏକ ସ୍ପଷ୍ଟ ଚିତ୍ର ତୁରନ୍ତ ଜନସାଧାରଣଙ୍କୁ ଜଣାଯାଉ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି।

ଗଣମାଧ୍ୟମକୁ ବିବୃତ୍ତି ଦେଇ ସେ କହିଛନ୍ତି ଯେ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ରଥ ତିଆରି ହୋଇଥିଲା, ମାତ୍ର ଠାକୁରଙ୍କୁ ରଥ ଉପରକୁ ଚଢ଼ାଗଲା ନାହିଁ। ବର୍ତ୍ତମାନ ପୁରୀରେ ମଧ୍ୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ସମାନ ସଂଶୟ ରାଜ୍ୟବାସୀଙ୍କ ମନରେ ଉପୁଜିଛି। ପୁରୀରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମାତ୍ର ରଥଯାତ୍ରା ହେବକି ନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଢ଼େ ୪ କୋଟି ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହିତ ରଥଯାତ୍ରା ଅନାଦି କାଳରୁ ରହି ଆସିଛି।

ସାଧାରଣ ଲୋକଙ୍କ ବ୍ୟଗ୍ରତାକୁ ଦୂର କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ରଥଯାତ୍ରାକୁ ନେଇ ସ୍ପଷ୍ଟ ଚିତ୍ର ରଖିବାକୁ ଦାବି କରାଯାଇଥିଲା। ମାତ୍ର ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଏନେଇ ସ୍ଥିତି ସ୍ପଷ୍ଟ କରୁନାହାନ୍ତି। ରଥଯାତ୍ରାକୁ ନେଇ ସରକାରଙ୍କ ଅଭିପ୍ରାୟ କ’ଣ, ରଥଯାତ୍ରାକୁ ନେଇ ପ୍ରସ୍ତୁତି କେଉଁ ପର୍ଯ୍ୟାୟରେ ପହଞ୍ଚିଛି ସେନେଇ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ପୃଥ୍ୱୀରାଜ ଦାବି କରିଛନ୍ତି। ରଥଯାତ୍ରାକୁ ନେଇ ସରକାରଙ୍କ ପାଖରେ ଅନେକ ଉପାୟ ଏବଂ ବିକଳ୍ପ ରହିଛି। ମାତ୍ର ସମ୍ଭାବନାର କେଉଁ ସୂତ୍ର ରାଜ୍ୟ ସରକାର ଆପଣେଉଛନ୍ତି, ତାହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ବୋଲି ପୃଥ୍ୱୀରାଜ କହିଛନ୍ତି।