କୁନ୍ନୁର ଚପର କ୍ରାସ୍‌: ଆଜି ଓଡ଼ିଶା ଆସିବ ସହିଦ ରାଣାପ୍ରତାପଙ୍କ ମରଶରୀର

ଭୁବନେଶ୍ୱର,ଏନ୍ଏନ୍ଏସ୍: କୁନ୍ନୁର ଚପର କ୍ରାସରେ ସିଡିଏସ୍ ବିପିନ୍ ରାୱତ୍‌ଙ୍କ ସହିତ ସହିଦ୍ ହୋଇଥିବା ଓଡ଼ିଆ ଯବାନ୍ ରାଣା ପ୍ରତାପ ଦାସଙ୍କ ମରଶରୀର ଆଜି ଓଡ଼ିଶା ଆସିବ। ଗତ ୮ ତାରିଖରେ ତାମିଲନାଡୁର ଭୟାବହଃ ହେଲିକପ୍ଟର ଦୂର୍ଘଟଣାରେ ସିଡିଏସ୍ ବିପିନ୍ ରାୱତ୍‌ଙ୍କ ସହିତ ସହିଦ୍ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ଓଡ଼ିଆ ଯବାନ୍ ରାଣା ପ୍ରତାପ ଦାସ ରହିଥିଲେ।

ରାଣାପ୍ରତାପ ବାୟୁସେନାରେ ଜୁନିଅର ବାରେଣ୍ଟ ଅଫିସର ଭାବରେ କାର୍ଯ୍ୟ କରୁଥିଲେ। କୁନ୍ନୁର ଚପର କ୍ରାସ ପୁରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏଥିରେ ପ୍ରାଣ ହରାଇଥିବା ଯବାନ୍ ମାନଙ୍କ ମରଶରୀର ଚିହ୍ନଟ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିଲା। ତେବେ ଗତକାଲି ସିଡିଏସ୍ ବିପିନ୍ ରାୱତ୍ , ପତ୍ନୀ ମଧୁଲିକା ରାୱତ୍ ଓ ବିଗ୍ରେଡିୟର ଲିର୍ଡଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଥିବା ବେଳେ ବାକି ସହିଦ୍ ହୋଇଥିବା ୧୦ ଯବାନ୍‌ଙ୍କ ଡିଏନଏ ଟେଷ୍ଟ କରାଯାଇ ମରଶରୀର ଚିହ୍ନଟ କରାଯାଇଛି।

ଏପଟେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ସହିଦ୍ ରାଣାପ୍ରତାପଙ୍କ ମରଶରୀର। ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଅପରାହ୍ନ ସୁଦ୍ଧା ସହିଦ୍‌ଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ ମରଶରୀର। ଏହାପରେ ସାମରିକ ସମ୍ମାନରେ ସହିଦ୍ ରାଣାପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି।