ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜାରାଣୀ ମନ୍ଦିରରେ ଆୟୋଜିତ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ବର୍ଣ୍ଣାଢ୍ୟ ଆରମ୍ଭ ହୋଇଯାଇଛି। ଏହି ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଚିତ୍ତାକର୍ଷକ ପାଲଟିଥିବା ବେଳେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଉଠିଛି।
ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପରିବେଷଣ କରିଥିଲେ ଭୁବନେଶ୍ୱରର ନାଜିଆ ଆଲାମ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗାଙ୍ଗ ବେଣୁଧରଙ୍କ ରଚନାରେ ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି ଶ୍ୟାମ ବନ୍ଧୁ ଲାଗି ସଖିରେ ଝୁରି ଝୁରି ମରିବି, ପରେ ପରେ ଭାବାଙ୍ଗ ଗଦାଧର ସିଂ ସାମନ୍ତଙ୍କ ରଚନାରୁ ଚାହାଁ ଚାହାଁରେ ବନ୍ଧୁ ଚାହାଁ, ତା ପରେ ଛାନ୍ଦ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଚେତି ଚାତୁରୀ ଚାହିଁଲା ନିଶି ନାଶେ, ଜୟଦେବଙ୍କ ରଚନାରୁ ଗୀତ ଗୋବିନ୍ଦ ସଖୀ ହେ କେଶି ମଥନ ମୁଦାରଂ ଏବଂ ଶେଷରେ ନାଟ୍ୟାଙ୍ଗ ରଘୁନାଥଙ୍କ ରଚନାରୁ ପାରମ୍ପାରିକ ସ୍ୱରରେ ନଯା ଜମୁନାରେ ନଯା ଜମୁନା । ତାଙ୍କ ସହିତ ମର୍ଦ୍ଦଳରେ କାଳନ୍ଦି ଚରଣ ପରିଡ଼ା, ମଞ୍ଜିରାରେ ସୌମ୍ୟ ରଞ୍ଜନ ନାୟକ, ବଂଶୀରେ ଶ୍ରୀନିବାସ ଶତପଥୀ, ତାନପୁରାରେ ଅନିମା ନାଥ ଓ ହାରମୋନିୟମରେ ଗୁରୁ କେଶବ ଚନ୍ଦ୍ର ରାଉତ ସହଯୋଗ କରିଥିଲେ ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିୟ ଖ୍ୟାତି ସମ୍ପର୍ଣ୍ଣ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପରି ଓ ଅଭୟ ସୋପରିଙ୍କ ଦ୍ୱାରା ସନ୍ତୁର ବାଦନ । ତାଙ୍କର ପ୍ରସ୍ତୁତିରେ ଥିଲା ରାଗ ଚମ୍ପକଲି, ଆଳାପ ଏବଂ ବନ୍ଦିସ। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସ୍ୱତନ୍ତ୍ର ଶୈଳୀରେ ସନ୍ତୁର ବାଦନ ଯାହା ପଣ୍ଡିତ ଭଜନ ସୋପରିଙ୍କ ସୃଜନଶୀଳତାର ଶୁଖ୍ମତା ପ୍ରତିପାଦିତ ହୋଇଥିଲା । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତବଲାରେ ଆକରମ ଖାନ ଏବଂ ପୋଖଜରେ ରିଶି ଶଙ୍କର ଉପାଧ୍ୟାୟ ।
