ଜେଲରୁ ମୁକୁଳିଲେ ଶିଳ୍ପପତି ରାଜ କୁନ୍ଦ୍ରା

ମୁମ୍ବାଇ: ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର ଏକ ଅଦାଲତ ଆଜି ଜାମିନ ପ୍ରଦାନ କରିଛି। ୫୦ ହଜାର ଟଙ୍କା ଓ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ରାଜ ଗତ ୧୮ ତାରିଖରେ ଜାମିନ ଆବେଦନ କରି ତାଙ୍କୁ ଅଯଥାରେ ଫସା ଯାଉଥିବା ଦାବି କରିଥିଲେ। ଉକ୍ତ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ମଧ୍ୟ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ଉଲ୍ଲେଖ କରିଥିଲେ।

ଉକ୍ତ ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରା ଓ ଅନ୍ୟ ୩ ଅଭିଯୁକ୍ତଙ୍କ ବିରୋଧରେ କଥିତ ରୂପେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତି ଓ କିଛି ଆପ୍ ସାହାଯ୍ୟରେ ତାକୁ ପ୍ରସାରିତ କରିବା ମାମଲାରେ ଚାର୍ଜସିଟ ଦାଖଲ କରିଛି।

ସୂଚନାଯୋଗ୍ୟ, ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ଗିରଫ କରାଯାଇଥିଲା। ରାଜଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଓ ସୂଚନା ପ୍ରାଦ୍ୟୋଗିକ ଅଧିନିୟମର ବିଭିନ୍ନ ଧାରା ଅନ୍ତର୍ଗତ ମାମଲା ଦାୟର ହୋଇଛି।