ଘନିଭୂତ ହେଉଛି ଲଘୁଚାପ, ୧୩ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଶ୍ଚିମ ମଧ୍ୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଇବା ସହିତ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଉପକୂଳ ଓଡ଼ିଶାରେ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ ଅଞ୍ଚଳରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଲଘୁଚାପ ଅକ୍ଟୋବର ୬ ତାରିଖ ପରେ ମହାରାଷ୍ଟ୍ର ଓ ଗୁଜରାଟ ମୁହାଁ ହେବାର ସମ୍ଭାବନା ଥିବାରୁ ଏହା ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରନ ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ସହ ଲଘୁଚାପର ପ୍ରଭାବ ଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୩ ତାରିଖ କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।