ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ଗତ ୪ ଦିନ ଧରି ଲାଗି ରହିଥିବା କାଳବୈଶାଖୀର ପ୍ରଭାବ ବୁଧବାର ମଧ୍ୟ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ, ଉତ୍ତର, ଦକ୍ଷିଣ ଓ ଉପକୂଳର ୧୧ ଜିଲ୍ଲାରେ ବର୍ଷା ଓ ଘୂର୍ଣ୍ଣିଝଡ଼ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୮ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ପବନର ବେଗ ୩୦-୪୦ କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। କାଳବୈଶାଖୀ ଓ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି। ଏହାଛଡ଼ା ବାକି ୩ ଜିଲ୍ଲା ଯଥା ମାଲକାନାଗିରି, କୋରାପୁଟ୍ ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।