ଡିସେମ୍ବର ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ,ଏନ୍ଏନ୍ଏସ୍: ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର। ଏଥିସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶୃଙ୍ଖଳିତ ଭବେ ଶେଷ କରିବାକୁ ଚାଲିଛି ପ୍ରସ୍ତୁତି। ତେବେ କରୋନା ଯୋଗୁଁ ପ୍ରଭାବିତ ହୋଇଛି ଶ୍ରୀମନ୍ଦିରର ଆୟ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବା ସହ ୧୪୫ କୋଟି ଟଙ୍କାର ବଜେଟ ପାରିତ ହୋଇଛି। କରୋନା ହେତୁ ଶ୍ରୀମନ୍ଦିର ପ୍ରଶାସନର ଖର୍ଚ୍ଚ ବୃଦ୍ଧି ସହ ଆୟ କମ ରହିଛି। ଯାହାଫଳରେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଏହାକୁ ଭରଣ ପୋଷଣ କରିବା ଏବଂ ଅଧିକ ଆୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ଅନଲାଇନ ମାଧ୍ୟମରେ ସଂଗ୍ରହ କରାଯିବାକୁ କରାଯିବ ଉଦ୍ୟମ। ସେହିପରି ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲିବା ନିମନ୍ତେ ସ୍ୱତନ୍ତ୍ର କମିଟି ମାଧ୍ୟମରେ ଆସନ୍ତା ୩୦ ଦିନ ମଧ୍ୟରେ ନିଷ୍ପତି ନିଆଯିବ। ଏପରିକି ଦର୍ଶନ ବ୍ୟବସ୍ଥା ପାଇଁ ମଧ୍ୟ ଛତିଶା ନିଯୋଗର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ଡିସେମ୍ବର ତୃତୀୟ ସପ୍ତାହ ମଧ୍ୟରେ ଦର୍ଶନ ପାଇଁ ଚୂଡାନ୍ତ ନିଷ୍ପତି ନିଆଯିବ।

ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଥିଲେ ଯେ ମନ୍ଦିର ବନ୍ଦ ଥିବାରୁ ହୁଣ୍ଡିରୁ କୌଣସି ଆୟ ହେଉନାହିଁ । ଫଳରେ ଶ୍ରୀମନ୍ଦିର ପାଣ୍ଠିରେ ଅର୍ଥ ହ୍ରାସ ପାଇଛି। ଅନ୍ୟପକ୍ଷରେ ଶ୍ରୀଜୀଉମାନଙ୍କର ଦୈନନ୍ଦିନ ନୀତିକାନ୍ତି ପ୍ରଥା ଅନୁଯାୟୀ ଜାରି ରହିଥିବାବେଳେ କୋଭିଡ ମଧ୍ୟରେ ରଥଯାତ୍ରା ହୋଇଥିବାରୁ ଏଥିପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଛି। ଏଥିଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ମନ୍ଦିର ଖୋଲିବା ପ୍ରସଙ୍ଗରେ ଡକ୍ଟର କୁମାର କହିଛନ୍ତି ଯେ ଏଥିପାଇଁ ମୁଖ୍ୟ ପରିଚାଳକଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଛି । ଭକ୍ତମାନେ କିଭଳି ଆସି ମନ୍ଦିରରେ ସୁରୁଖୁରୁରେ ଦର୍ଶନ କରିବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ନୀତି ପ୍ରଶାସକ ଓ ସେବାୟତମାନଙ୍କ ମତାମତ ଏ ସଂକ୍ରାନ୍ତରେ ଲୋଡାଯିବ।

ଅନ୍ୟପଟେ ଐତିହ୍ୟ କରିଡର ନିର୍ମାଣ ନେଇ ଅଧିକୃତ ହୋଇଥିବା ଜମି ଶ୍ରୀମନ୍ଦିର ଖାତାକୁ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରାଯିବା ସହ ପରିଚାଳନା କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛି। ଆସନ୍ତା ୧୯ ତାରିଖରେ ରୁପା କବାଟ ଡିଜାଇନ ଫାଇନାଲ ପାଇଁ ୨୦ ଜଣିଆ କମିଟି ନିଷ୍ପତି ନେବାକୁ ଥିବାବେଳେ ପ୍ରାଥମିକ ସ୍ଥରରେ ଆଠଗୋଟି ଦ୍ୱାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବ। ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବାକୁ ଥିବାବେଳେ ସେହି ବେଶ ଶୃଙ୍ଖଳିତ ଭାବେ ସମାପନ କରାଯିବାକୁ ନେଇ ଆଜି ବୈଠକରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଶନିବାର ଦିନ ଏନେଇ ଅଧିକ ଆଲୋଚନା କରାଯିବ।

ସେବାୟତ କଲ୍ୟାଣ ନେଇ କରୋନା ସମୟରେ ୪ ଥର ସହାୟତା ରାଶି ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚମ ଥର ଦିଆଯିବା ପାଇଁ ନିଷ୍ପତି ଉପରେ ଆଜି ବୈଠକରେ ଆଲୋଚନା କରାଯାଇଛି।