ପୁରୀ,ଏନ୍ଏନ୍ଏସ୍: ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ ହାୱଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପତାକା ହଲାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦାବୀ ରଖିଛନ୍ତି । ନବୀନ ପୁଣିଥରେ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିର୍ମାଣ କଥା ଦୋହରାଇଛନ୍ତି । ଆଗାମୀ ୩-୪ ବର୍ଷ ମଧ୍ୟରେ ଏୟାରପୋର୍ଟ କାମ ସରିବା ନେଇ ନବୀନ ଆଶାବ୍ୟକ୍ତ କରିଛନ୍ତି । ଏଥିସହିତ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ନବୀନ ଦାବୀ କରିଛନ୍ତି । ଏଥିରେ ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦ ସାମିଲ ରହିଛି । କେବଳ ଏତିକି ନୁହେଁ ଅନୁଗୁଳ-ସୁକିନ୍ଦା ଏବଂ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ ମଧ୍ୟ ନବୀନ ଦାବୀ କରିଛନ୍ତି ।
ବନ୍ଦେ ଭାରତ ଲୋକାର୍ପଣ ଅବସରରେ ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ମିଳିଲା । ଫଳରେ ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ । ବନ୍ଦେ ଭାରତରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି । ଏହାଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ କାରବାର ମଧ୍ୟ ବଢ଼ିବ । ଭାରତୀୟ ରେଳ ଭଳି ବନ୍ଦେ ଭାରତ ଟ୍ରେନ ସମସ୍ତଙ୍କୁ ଯୋଡ଼ିବ । ଓଡ଼ିଶା ଓ ପଶ୍ଚିମବଙ୍ଗର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ । ଏହି ଆଧୁନିକ ଟ୍ରେନ୍ ଭାରତର ଅର୍ଥ ବ୍ୟବସ୍ଥାକୁ ଗତି ଦେଉଛି । ପୂର୍ବରୁ କିଛି ବଡ଼ ପ୍ରକଳ୍ପ ହେଲେ ଦିଲ୍ଲୀ ଓ ମୁମ୍ବାଇରେ ସୀମିତ ରହୁଥିଲା । ଏବେ ଦେଶର କୋଣ ଓ ଅନୁକୋଣକୁ ସବୁ ପ୍ରକଳ୍ପ ପହଞ୍ଚୁଛି । ବିକାଶରେ ପଛୁଆ ରହୁଥିବା ରାଜ୍ୟକୁ ବି ଲାଭ ମିଳୁଛି ।