ପୁରୀ ସେବାୟତଙ୍କ ପୁଣିଥରେ କୋଭିଡ ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ସେବାୟତଙ୍କ କରୋନା ଟେଷ୍ଟ ଆଜିଠାରୁ ପୁଣିଥରେ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ତେବେ ରଥଯାତ୍ରା ପୂର୍ବରୁ ଓ ବାହୁଡ଼ା ଯାତ୍ରା ପୂର୍ବରୁ ସେବାୟତଙ୍କର ଦୁଇଥର କୋଭିଡ ଟେଷ୍ଟ ହୋଇଥିଲା। ଆଉ ଏବେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଛି। ଏହି ଟେଷ୍ଟ ପ୍ରକ୍ରିୟା ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପୁରୀ ଘୋଷଯାତ୍ରାରେ ସାମିଲ ହୋଇଥିବା ପାଖାପାଖି ୪ହଜାରରୁ ଉର୍ଦ୍ଧ ସେବାୟତଙ୍କର ଏହି ଟେଷ୍ଟ ହେବ। ପୁରୀ ସହରର ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗିଡ଼ିଆ ଧର୍ମଶାଳା ଏବଂ ମାର୍କେଣ୍ଡେଶ୍ୱର ସାହି ଉଚ୍ଚ ବିଦ୍ୟାଳୟରେ ଏହି ଟେଷ୍ଟ କରାଯାଉଛି। ଆଜି ପ୍ରଥମ ପର୍ଯ୍ୟାୟରେ ଦଇତାପତି ନିଯୋଗ, ସୁଆର ମହାସୁଆର ସେବାୟତ ଓ ଘଣ୍ଟୁଆ ସେବକଙ୍କର କୋଭିଡ ଟେଷ୍ଟ କରାଯିବ। ଆଉ ପରବର୍ତ୍ତୀ ସମୟରେ ବାକି ରହିଯାଇଥିବା ସେବକଙ୍କର ଟେଷ୍ଟ କରାଯିବ। ଏହାପରେ ପୁରୀରେ ଆସନ୍ତା ୧୫ ତାରିଖରେ ଆଣ୍ଟିବଡ଼ି ଟେଷ୍ଟ ହେବ ବୋଲି ଜଣାପଡ଼ିଛି।