ଧାମନଗରରେ ପୁଲିସକୁ ଜଗିଛନ୍ତି ଜନତା: ଦିଲୀପ ମଲ୍ଲିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି ଶାସକ ଦଳର ଦୌରାତ୍ମ୍ୟ ସେତିକି ବଢ଼ିଚାଲିଛି । ପୁଲିସ ପ୍ରଶାସନ ଓ ସରକାରୀ କଳକୁ ବ୍ୟବହାର କରି ଭୋଟରଙ୍କୁ ଟଙ୍କା ବାଂଟିବାରେ ବାରମ୍ବାର ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଅସ୍ତ୍ର କରିଛି ବିଜୁ ଜନତା ଦଳ । ବିଜେଡି ରାତିଅଧିଆ ଏସ୍‌ଏଚ୍‌ଜି ମହିଳାଙ୍କୁ ଟଙ୍କା ଦେଇ ଦଳୀୟ ଚିହ୍ନରେ ଭୋଟ ଦେବାକୁ କହୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । ପୂର୍ବରୁ ୨ଜଣ ଏସ୍‌ଏଚ୍‌ଜି ମହିଳାଙ୍କ ବିରୋଧରେ ବିଜେପି ଦେଇଥିବା ଅଭିଯୋଗକୁ ତଦନ୍ତ କରି ସ୍ଥାନୀୟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଏତେ ପରେ ବିଜୁ ଜନତା ଦଳର ମନ୍ତ୍ରୀ, ନେତା ଓ ବିଧାୟକମାନଙ୍କ ମଧ୍ୟରେ କୌଣସି ଫରକ ପଡୁନାହିଁ ।

ଅଭିଯୋଗ ପ୍ରମାଣିତ ହେଲା ପରେ ବିଜେଡି ସେହି ମହିଳାଙ୍କ ହାତଛାଡି ଦେଇ ସେମାନେ ବିଜେପିର କର୍ମୀବୋଲି ଓଲଟା ଅଭିଯୋଗ ଆଣୁଛନ୍ତି । ବିଜେଡି ସମର୍ଥିତ ସରପଞ୍ଚ ଓ ତାଙ୍କ ସ୍ୱାମୀ ଟଙ୍କା ବାଣ୍ଟୁଥିବାବେଳେ ସାଧାରଣ ଜନତା ତାଙ୍କୁ ଧରି ପୁଲିସର ହସ୍ତାନ୍ତର କରିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ଗାଡିରେ ନେଇ ଅଧାରାସ୍ତାରେ ତାଙ୍କୁ ଛାଡି ଦେଇଥିଲା । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଦାୟିତ୍ୱରେ ଥିବା ପୁଲିସ ଅପରାଧିଙ୍କୁ ଖସାଇ ଦେଇ ନିଜେ ରକ୍ଷକ ହୋଇ ଭକ୍ଷକ ସାଜିଛି । ପୁଲିସର କାର୍ଯ୍ୟକୁ ଜନସାଧାରଣ କରୁଥିଲାବେଳେ ପୁଲିସ ସରକାରୀ ଦଳର ହାତବାରିସ ହୋଇ ହାତବାନ୍ଧି ବସିଛି ।

ଧାମନଗରରେ ପୁଲିସକୁ ଓଲଟା ଜଗିଛନ୍ତି ସାଧାରଣ ଜନତା । ଯାହାର ତଥ୍ୟ ପ୍ରମାଣ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ।

ପ୍ରକାଶଥାଉ କି, ବିଜୁ ଜନତା ଦଳ ଏସ୍‌ଏଚଜି ମହିଳାମାନଙ୍କୁ ନିଜର କର୍ମୀବୋଲି ଭାବି ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛି । ମିଶନଶକ୍ତିର ମା’ ମାନଙ୍କ ମାଧ୍ୟମରେ ଭୋଟ ପାଇଁ ଭୋଟରଙ୍କୁ ଟଙ୍କା ବାଂଟିବାର ଦାୟିତ୍ୱ ଦେଇ ପରୋକ୍ଷରେ ମା’ ମାନଙ୍କୁ ଅପରାଧୀ ସଜାଉଛି ବିଜେଡି । ଏସ୍‌ଏଚ୍‌ଜି ମହିଳାମାନେ ଜାଣିରଖିବା ଦରକାର ବିଜୁ ଜନତା ଦଳ “ୟୁଜ୍ ଆଣ୍ଡ୍ ଥ୍ରୋ”କରୁଛି । ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ଓ କଡା ସୁରକ୍ଷା ବଳୟ କରିବା ପାଇଁ ପ୍ରଥମେ ଦାୟିତ୍ୱରେ ଅବହେଳା କରି ଶାସକ ଦଳକୁ ପକ୍ଷପାତିତା ଦେଖାଉଥିବା ପୋଲିସ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓଙ୍କଠାରେ ବିଜେପି ଦାବି କରିଛି ।

ପୁନର୍ବାର ସରକାରୀ କର୍ମଚାରୀ ଓ ପୁଲିସ ପ୍ରଶାସନ ଯଦି ଏଭଳି କାର୍ଯ୍ୟରୁ ନିବୃତ ନରୁହନ୍ତି ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରନ୍ତି ତେବେ ଆଚରଣବିଧି ଅନୁଯାୟୀ ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଶ୍ରୀ ମଲ୍ଲିକ ଚେତାବନୀ ଦେଇଛନ୍ତି ।

ଏହି ପ୍ରତିନିଧି ମଣ୍ଡଳିରେ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।