ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବିରେ ରାଜଧାନୀରେ ଜନସମାବେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସିଏଏ, ଏନଆରସି ଓ ଏନପିଆର ପ୍ରତ୍ୟାହାର କରିବା ଓ ସମ୍ବିଧାନ ବଂଚାଅ ଦାବିରେ ଆମେ ଭାରତବାସୀ ପକ୍ଷରୁ ଭୁବନେଶ୍ୱର ଗାନ୍ଧିମାର୍ଗ ଠାରେ ଏକ ବିଶାଳ .ଜନସମାବେଶ ଅନୁଷ୍ଠିତ ହୋଇଥିଲା । ବାଣୀବିହାର , ମାଷ୍ଟର କ୍ୟାଂଟିନ୍ ଛକରୁ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ଠାରେ ପହଂଚିବା ପରେ ସେଠାରେ ବିଶାଳ ସମାବେଶ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଦଳିତ , ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟର ବହୁ ଲୋକ ସାମିଲ ହୋଇଥିଲେ ।

ସେମାନେ ଅଭିଯୋଗ କରିଥିଲେ ଯେ ସିଏଏ ଲାଗୁ ହେଲେ ବହୁ ଅସୁବିଧା ହେବ । ଏଥିପାଇଁ ବହୁ ଅର୍ଥ ମଧ୍ୟ ବରବାଦ୍ ହେବ । ଆସାମରୁ ୧୯ ଲକ୍ଷ ଲୋକ ନାଗରିକ ,ପଂଜୀକରଣରୁ ବାଦ୍ ପଡିଥିଲେ । ସେଥିରେ ୧୩ ଲକ୍ଷ ହିନ୍ଦୁ ଥିଲେ । କୋଟି କୋଟି ମୁସଲିମ୍‌୍ ଅନୁପ୍ରବେଶକାରୀ ଅଛନ୍ତି ବୋଲି ବିଜେପି ଯେଉଁ ପ୍ରଚାର କରୁଛି ତାହା ମିଥ୍ୟା । ତେବେ ୧୩ ଲକ୍ଷ ଲୋକଙ୍କୁ ନାଗରିକ କରି ଅନ୍ୟ ୬ ଲକ୍ଷ ଲୋକଙ୍କୁ କେଉଁ ଆଡେ ପଠାଇବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ସମ୍ବିଧାନର ମୁଖବନ୍ଧରେ ଧର୍ମନିରେପକ୍ଷ ଶବ୍ଦକୁ କଳା ବୋଳି ଦିଆଯାଇଛି । ନାଗରିକତା ଆଇନ ସଂଶୋଧନ କରାଯାଇଛି । ଆଫଗାନିସ୍ତାନ , ପାକିସ୍ତାବ ଓ ବାଲାଂଦେଶରୁ ଧର୍ମୀୟ ଉତ୍ପୀଡନ ର ଶୀକାର ହୋଇ ଭାରତ ଆସିଥିବା ହିନ୍ଦୁ , ଶିଖ୍ , ବୌଦ୍ଧ , ଜୈନ ,ପାର୍ସୀ ଓ ଖ୍ରୀଷ୍ଟିଆନ୍ ମାନଙ୍କୁ ନାଗରିକତା ଦେବାକୁ ଘୋଷଣା କରାଯାଇଛି । ମାତ୍ର ମୁସଲିମ୍ ମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଶ୍ରୀଲଙ୍କା , ମିଆଁମାରରୁ ଆସିଥିବା ଶରଣାର୍ଥୀଙ୍କ ପ୍ରତି ଏହି ପାତରଅନ୍ତର କରାଯାଉଛି ।

ସେହିପରି ରାଜ୍ୟ ସରକାର ଏହାକୁ ସମର୍ଥନ ଦେଇଥିବାରୁ ନବୀନ ସରକାରକୁ ସେମାନେ ସମାଲୋଚନା କରିଛନ୍ତି । ସିଏଏକୁ ସମର୍ଥନ କରି ଏନଆରସିକୁ ବିରୋଧ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।ଏହା ତାଙ୍କର ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ସେମାନେ କହିଥିଲେ ।