ଓଡ଼ିଶାରେ ପ୍ରକଳ୍ପ ଅଗ୍ରଗତିକୁ ସିସିଆଇର ପ୍ରଶଂସା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ କ୍ୟାବିନେଟ୍ କମିଟି ଇନଭେଷ୍ଟମେଣ୍ଟ୍ (ସିସିଆଇ) ପ୍ରକଳ୍ପ ତଦାରଖ ଗ୍ରୁପ୍ ପ୍ରଶଂସା କରିଛି। କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଇଣ୍ଟରନାଲ୍ ଟ୍ରେଡ୍ ବିଭାଗର ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ସିସିଆଇ ପ୍ରକଳ୍ପ ତଦାରଖ ଗ୍ରୁପ୍ ସିସିଆଇ ପ୍ରକଳ୍ପ ସମେତ ବହୁ କାର୍ଯ୍ୟକ୍ରମରେ ଓଡ଼ିଶାକୁ ‘ପରଫରମିଂ ଷ୍ଟେଟ୍’ର ଆଖ୍ୟା ଦେଇଛନ୍ତି।

ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ କ୍ରମାଗତ ଅଗ୍ରଗତି ପରିଲକ୍ଷିତ ହୋଇଛି। ମିଳିତ ଉଦ୍ୟମ ଫଳପ୍ରଦ ହୋଇଥିବା ସେ ଜଣାଇଥିଲେ। ଏହି ଯୁଗ୍ମ ଉଦ୍ୟମ ଜରିଆରେ ପ୍ରତ୍ୟେକ ପ୍ରକଳ୍ପକୁ ନେଇ ରହିଥିବା ସମସ୍ୟା ଉପରେ ଆଲୋଚନା ହେବା ସହ ସମାଧାନ ହୋଇଛି। ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।ପାଖାପାଖି ୨୬ ହଜାର ୬୨୦ କୋଟି ଟଙ୍କାର ୮ ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ନେଇ କମିଟି ସମୀକ୍ଷା କରିଛି। ଉନ୍ନୟନ କମିଶନର ପ୍ରଦୀପ ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡଃ ମୋନା ଶର୍ମାଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ସଚିବ, ସଚିବ ଏବଂ ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପ ପ୍ରସ୍ତାବକ ବୈଠକରେ ଅଂଶଗ୍ରହଣ କରିଥିଲେ।