ଚିନ୍ତାରେ ରହୁଛନ୍ତି କଏଦୀ, ମନୋରଞ୍ଜନ ପାଇଁ ଜେଲରେ ହେବ ଷ୍ଟୁଡିଓ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଏଦୀମାନଙ୍କ ଜୀବନରେ ସୁବିଧା ଓ ସୁଧାର ଆଣିବା ପାଇଁ ଜେଲ୍ ବିଭାଗ ଆଗାମୀ ଦିନରେ ନୂଆ ବ୍ୟବସ୍ଥା କରିବାକୁ ଯାଉଛି। ଏ ନେଇ ଜେଲ୍ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଡିଜିଙ୍କ କହିବା ଅନୁସାରେ, ଓଡ଼ିଶାରେ ଥିବା ୭୬ଟି ଜେଲରେ ଦିନକୁ ହାରାହାରି ୧୮ହଜାର କଏଦୀ ରହୁଛନ୍ତି। ସବୁବେଳେ ଜେଲରେ ବନ୍ଦୀ ହୋଇ ରହିବା ଯୋଗୁଁ ସେମାନଙ୍କୁ ମାନସିକ ସ୍ତରରେ କଷ୍ଟ ଅନୁଭବ ହୋଇଥାଏ। ଏଥିପାଇଁ କେତେକ କଏଦୀ ମାନସିକ ବ୍ୟାଧି ରୋଗର ଶିକାର ହୋଇଥାନ୍ତି।

ଏହିସବୁ କ୍ଷେତ୍ରରେ ସୁଧାର ଆଣିବା ପାଇଁ କଏଦୀମାନଙ୍କୁ ଜେଲ୍ ଭିତରେ ସବୁବେଳେ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୋଜନା କରାଯାଉଛି। ଆଗାମୀ ଦିନରେ ସେମାନଙ୍କୁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ପ୍ରଶିକ୍ଷଣ ଦିଆଯିବ। ଏହାସହ ସେମାନଙ୍କ ମନୋରଞ୍ଜନ ପାଇଁ ଜେଲରେ ଏକ ଷ୍ଟୁଡିଓ କରାଯିବ। ଏଥିରେ ଅନ୍ତେବାସୀ ନିଜେ ନିଜର ମନକଥା ମାଇକ୍ରୋଫୋନ୍ ସାହାଯ୍ୟରେ କହିବା ସହ ନିଜ ମନପସନ୍ଦର ସଙ୍ଗୀତ ଶୁଣିପାରିବେ। ସେହିପରି ଜୀବନରେ ସକାରାତ୍ମକ ଚିନ୍ତାଧାରା ଆଣିବା ପାଇଁ କଏଦୀମାନଙ୍କ ପାଇଁ ମୋଟିଭେସନାଲ୍ କାର୍ଯ୍ୟକ୍ରମ ଜେଲ୍ ଭିତରେ ପ୍ରସାରଣ କରାଯିବ।

ଅନ୍ୟପକ୍ଷରେ ପରିବାର ଲୋକଙ୍କ ସହିତ କଥା ହେବା ପାଇଁ କଏଦୀମାନଙ୍କୁ ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ସମୟ ଦିଆଯିବ। ଯଦି କଥା ହେବା ସମୟରେ କଏଦୀଙ୍କ ବାର୍ତ୍ତାଳାପ କୌଣସି ଅପରାଧିକ କାର୍ଯ୍ୟକଳାପ ପାଇଁ ସୂଚାଇଥାଏ, ତା’ହେଲେ ଉକ୍ତ ଭଏସ୍ କୁ ରେକର୍ଡ କରାଯାଇ କଏଦୀ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବାକୁ ନିଷ୍ପତ୍ତି ହୋଇଛି।

କଏଦୀମାନେ କେଉଁ ବାବଦକୁ ଖର୍ଚ୍ଚ କଲେ ତାହା ଜଣାପଡ଼ିନଥାଏ। ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଏଦୀଙ୍କ ପାଇଁ ସ୍ମାର୍ଟକାର୍ଡର ବ୍ୟବସ୍ଥା କରାଯିବ। ଏହି ସବୁ ବ୍ୟବସ୍ଥା ରାଜ୍ୟରେ ଥିବା ୫ଟି ସର୍କଲ ଜେଲରେ ପ୍ରଥମେ ଉପଲବ୍ଧ କରାଯିବ। ଏହା ସଫଳ ହେଲେ ଏହି ବ୍ୟବସ୍ଥାକୁ ରାଜ୍ୟରେ ଥିବା ସମସ୍ତ ଜେଲ୍ କାରାଗାରଗୁଡ଼ିକରେ ଲାଗୁ କରାଯିବ ବୋଲି ଡିଜି କହିଛନ୍ତି। ସେହିପରି ଚଳିତ ଆର୍ଥିକ ବର୍ଷରେ ଏହି ବ୍ୟବସ୍ଥା ରାଜ୍ୟର ଚୌଦ୍ୱାର ଜେଲ୍ ଓ ଝାରପଡ଼ା ଜେଲରେ ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି।