ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀଙ୍କ ସହ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ଆଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିଖୁଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ସଭାପତି ଶ୍ରୀ ହୃଦାନନ୍ଦ ଦ୍ବିବେଦୀ ଓ ମହାସଚିବ ଅମୀୟ କୁମାର ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧ ମଣ୍ଡଳୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ପ୍ରମୁଖ ସଚିବ ଆଶ୍ଵସ୍ତୀ ଏସ୍ ଏବଂ ବିଭାଗୀୟ ପଦାଧିକାରୀଙ୍କ ସହିତ ପ୍ରାଥମିକ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସମ୍ବନ୍ଧରେ ଥିବା ସମସ୍ୟା ଓ ତାର ସମାଧାନ ପାଇଁ ଆଲୋଚନା କରିଥିଲେ । ଆଗାମୀ ଦିନରେ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକୁ ବନ୍ଦ କରାଯିବା ନିମନ୍ତେ ସଂଗଠନ ଦୃଢ଼ ଦାବି କରିଥିଲା । ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ୫ଟି ଅଧୀନକୁ ନିଆଯାଇ ବିଦ୍ୟାଳୟ ଶ୍ରେଣୀଗୃହ ମରାମତି ଓ ଅତିରିକ୍ତ ଶ୍ରେଣୀଗୃହ (ଆବଶ୍ୟକତା ଅନୁଯାୟୀ) କରାଯିବା ପାଇଁ ଆଲୋଚନା କରାଯାଇଥିଲା ।

ରାଜ୍ୟରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ବର୍ଗୀକରଣକୁ ବନ୍ଦ କରାଯିବା, ଖାଲିଥିବା ପଦଗୁଡ଼ିକୁ ପୂରଣ କରିବା ପାଇଁ ପଦୋନ୍ନତିରେ । ରିହାତି ଦେବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକ ଅବକୁ ବିନା ଅର୍ଥରେ ଚାକିରିରେ ଗଣନା କରିବା, ଚୁକ୍ତିଭିତ୍ତିକ ପଦବୀ ଉଚ୍ଛେଦ କରିବା, ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଉଚ୍ଚ ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶତକଡ଼ା ୫୦ ଭାଗ ଉଚ୍ଚ ବିଦ୍ୟାଳୟମାନଙ୍କରେ ଅବସ୍ଥାପିତ କରିବା, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନୁଯାୟୀ ଆର୍.ଏ.ସି.ପି. ପ୍ରାଫରୁ ବଞ୍ଚିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା, କ୍ୟାଡର ରୁଲରେ ଥିବା ତୃତୀୟ ବର୍ଗ, ଦ୍ବିତୀୟ ବର୍ଗ ଓ ପ୍ରଥମ ବର୍ଗରେ ଥିବା ତାରତମ୍ୟ ଦୂର କରିବା ।

ରାଜ୍ୟରେ ଥିବା ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ରୂପେ କଳା ଶିକ୍ଷକ, ଖେଳ ଶିକ୍ଷକ ନିଯୁକ୍ତି କରିବା, ଷାଣ୍ଟାସିକ ଓ ବାର୍ଷିକ ପରୀକ୍ଷା ପୂର୍ବଭଳି ଚାଲୁ ରଖୁବା, ଏନ୍.ପି.ଏସ୍. ଶିକ୍ଷକମାନଙ୍କ ଗ୍ରାଚ୍ୟୁଇଟି ପ୍ରଦାନ କରିବା, ଏତଦ୍ ବ୍ୟତୀତ ସର୍ବୋପରି ନୂତନ ପେନସନ୍ ହଟାଇ ପୁରୁଣା ପେନ୍ସନ୍ ଲାଗୁ କରିବା ଏବଂ କେନ୍ଦ୍ରୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅବିକଳ କେନ୍ଦ୍ରୀୟ ଦରମା ପ୍ରଦାନ କରିବା, ବାଲେଶ୍ବର ଏବଂ ମୟୂରଭଞ୍ଜ ଭଳି ଅନ୍ୟ ଜିଲ୍ଲାରେ ଥିବା ପଦୋନ୍ନତି ସମସ୍ୟାକୁ ଦୂର କରିବା ପାଇଁ ଆଜିର ଆଲୋଚନାରେ ଫେଡେରେସନ୍ ଦୃଢ଼ ଦାବି କରିଥିଲା । ଆଗାମୀ ଦିନରେ ମୁଖ୍ୟ ଦାବି ଦ୍ବୟ ଯଥା – ପୁରୁଣା ପେନ୍ସନ୍ ଓ ଅବିକଳ କେନ୍ଦ୍ରୀୟ ବେତନ ଯଦି ପୂରଣ ନ ହୁଏ ତେବେ ରାଜ୍ୟରେ ଦେଢ଼ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘୀୟ କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ ।

ସକାରାତ୍ମକ ଭାବେ ଉକ୍ତ ଆଲୋଚନା ହୋଇଥିବାରୁ ମାନ୍ୟବର ମନ୍ତ୍ରୀ ମହୋଦୟ, ବିଭାଗୀୟ ମୁଖ୍ୟ ସଚିବ ତଥା ବିଭାଗୀୟ ଅଧିକାରୀବୃନ୍ଦ ଦୀର୍ଘ ସମୟ ଧରି ଶିକ୍ଷକମାନଙ୍କ ସମସ୍ୟା ପ୍ରତି ସମାଧାନ ଦିଗରେ ଯତ୍ନବାନ୍ ହେବେ ବୋଲି ପ୍ରତିଶୃତି ଦେଇଥିଲେ ବୋଲି ରାଜ୍ୟ ସଭାପତି ହୃଦାନନ୍ଦ ଦ୍ବିବେଦୀ, ମହାସଚିବ ଅମୀୟ କୁମାର ଦାଶ, ସଂଯୋଜିକା ଚାରୁଲତା ମହାପାତ୍ର, ଉପସଭାପତି ବିଜୟ ମହାନ୍ତି, ସୁଚିତ୍ରା ଦାସ, ସୁରେନ୍ଦ୍ର କୁଲଦୀପ, ରମାକାନ୍ତ ମହାନ୍ତି, ସୁନୀତା ବେହେରା, ଏସ୍.କେ. ଖଲିକ୍ ପ୍ରଭୃତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।