ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର: ଡ.ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଚାହିଁଥିଲେ ଚଳିତ ବର୍ଷ ବନ୍ୟାକୁ ରୋକି ପାରିଥାନ୍ତେ। କିନ୍ତୁ ଏହା ନକରି ଚଳିତ ବନ୍ୟା ମୁକାବିଲା ପାଇଁ ଅପ୍ରସ୍ତୁତ ଥିବା ରାଜ୍ୟ ସରକାର ପାଣିପାଗ ବିଭାଗ ସୂଚନା ଦେଲା ଭଳି କେବଳ ପ୍ରେସ୍ ବିବୃତି ଜରିଆରେ ସତର୍କ ସୂଚନା ଓ ନିର୍ଦ୍ଦେଶନାମା ଜାରି କରି ଦାୟିତ୍ୱ ସମାପ୍ତ କରିଥିଲେ। ଜଳସମ୍ପଦ ବିଭାଗ, ମନ୍ତ୍ରୀ ଓ ରିଲିଫ କମିସନଙ୍କ କଥାରେ ତାଳମେଳ ରହୁନଥିଲା। ରାଜ୍ୟ ସରକାରଙ୍କ ଅବହେଳା, ଦାୟିତ୍ୱହୀନତା ଏବଂ ଅପାରଗ କାରଣରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏପରି ଅଭାବନୀୟ ବନ୍ୟା ସୃଷ୍ଟି ହୋଇଛି। ଚଳିତ ବର୍ଷ ବନ୍ୟା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଏଥି ପାଇଁ ରାଜ୍ୟ ସରକାର ଦାୟୀ। ସେହିପରି ବନ୍ୟା ପରବର୍ତ୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ।

ବନ୍ୟା ପୀଡିତଙ୍କ ପାଖରେ ନାଁ ପ୍ରଶାସନ ଓ ମନ୍ତ୍ରୀ, ନେତା ଓ ରାଜ୍ୟ ସରକାର ମଧ୍ୟ ପହଞ୍ଚିବାରେ ବିଫଳ ହୋଇଥିଲେ। ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଡାକିଆଣିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। କୃଷିମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ ଏବଂ ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ। ବିଜେପିର ବାରମ୍ବାର ଦାବି ପରେ ପ୍ରକୃତ କ୍ଷୟକ୍ଷତି ଆକଳନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଗତକାଲି ତରବରିଆ ଭାବେ ଏକ କ୍ଷୟକ୍ଷତି ରିପୋର୍ଟ ପ୍ରକାଶିତ କରିଛନ୍ତି। ୧୨୮ କୋଟି ଟଙ୍କାର ବନ୍ୟା ସହାୟତା ରାଶି ଘୋଷଣା ସମ୍ପୂର୍ଣ୍ଣ ତୃଟିପୂର୍ଣ୍ଣ ଏବଂ ତଥ୍ୟ ଆଧାରିତ ନୁହେଁ। ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପୋଷିବା ପାଇଁ ୧୨୮ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ରାଜ୍ୟ ସରକାର ବନ୍ୟା ପ୍ରପୀଡିତଙ୍କ ଲାଗି ଯେଉଁ ତତ୍ପରତା ଦେଖାଇବା କଥା ତାହା ନଦେଖାଇ ଚିରନିଦ୍ରାରେ ଶୋଇଥିଲେ। ଏନେଇ ବନ୍ୟାରେ ସମ୍ପୂର୍ଣ୍ଣ ଧନଜୀବନ, ଫସଲ ଉଜୁଡି ଯିବା ସହ ଚାଷୀର ଗୋଟିଏ ବର୍ଷ ନଷ୍ଟ ହୋଇଯାଇଛି। ୨୦୦୮ରେ ପ୍ରସ୍ତୁତ ହୋଇଥିବା ଫ୍ଲଡ ମେନୁଆଲ, କର୍ଭ ରୁଲ୍‌, ରିଲିଫ୍ କୋଡକୁ ସଠିକ ଭାବେ ପାଳନ କରାଗଲାନାହିଁ। ରିଲିଫ ପ୍ରଦାନରେ ବିଳମ୍ବ ଓ ପକ୍ଷପାତିତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାଟବଣା ଏବଂ ଦୁର୍ନୀତି କାରଣରୁ ବାସଗୃହ ପାଇବାରୁ ହୋଇଥିବା ବହୁ ବଞ୍ଚିତ ଗରୀବ ହିତାଧିକାରୀଙ୍କ କଚ୍ଚାଘର ଭାଙ୍ଗିଗଲା ଏବଂ ବହୁ ମୂଲ୍ୟବାନ ପ୍ରାଣହାନୀ ହେଲା। କୌଣସି ନଦୀବନ୍ଦ କି ପୋଲର ମରାମତି ପାଇଁ କୌଣସି ଜାଗାରେ ମୁଠାଏ ମାଟି ରାଜ୍ୟ ସରକାର ପକାଇ ନଥିବାର ବନ୍ୟାସ୍ଥିତିର ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ ସମୟରେ ସ୍ପଷ୍ଟ ଜଣାପଡିଥିଲା।

ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଞ୍ଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ ଆଧାରରେ ୧୨୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ? ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ ନକରି ଗ୍ରାମ/ ପଞ୍ଚାୟତ/ ବ୍ଲକ୍‌ ଓ୍ବାରୀ କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ରାଜ୍ୟ ସରକାର ଶ୍ୱେତପତ୍ର ଜରିଆରେ ପ୍ରକାଶ କରିବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି।