୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଚଳିତ ମାସ ୨୧ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି। ୨୨ ତାରିଖରେ ଭାରତୀୟ ତୈଳ ନିଗମ ପକ୍ଷରୁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଏଥି ସହ ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦାନ କରିବେ। ଭୁବନେଶ୍ୱର ରାଜଭବନରେ ସେ ଅବସ୍ଥାନ କରିବେ। ସେପଟେ ରାଷ୍ଟ୍ରପତିଙ୍କ କୋଣାର୍କ ଏବଂ ରାଉରକେଲା ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ରାଷ୍ଟ୍ରପତି ଦାୟିତ୍ୱ ନେବାପରେ ରାଷ୍ଟ୍ରପତି କୋବିନ୍ଦ ପ୍ରଥମ ଥର ପାଇଁ କୋଣାର୍କ ପରିଦର୍ଶନରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମ ସହ ପୁରୀ କାର୍ଯ୍ୟକ୍ରମ ଯୋଡାଯିବା ସମ୍ଭାବନା ରହିଛି। ତେବେ ରାଉରକେଲା ଏନଆଇଟି ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବେ।

ରାଷ୍ଟ୍ରପତି କୋବିନ୍ଦଙ୍କ ସହ କେତେକ କେନ୍ଦ୍ରମନ୍ତ୍ରୀ ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚୂଡାନ୍ତ ରୂପ ଦେବା ଲାଗି ରାଷ୍ଟ୍ରପତି ଭବନ, କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜଭବନ କାର୍ଯ୍ୟାଳୟ, ରାଜ୍ୟ ପ୍ରଶାସନିକ ଅଧିକାରୀ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି। ବିଶେଷ କରି କରୋନା କଟକଣା ଓ ସୁରକ୍ଷା ବ୍ୟବସ୍ଥା କଡାକଡି ଉପରେ ନଜର ଦିଆଯାଉଛି।