ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୧ ଜାନୁଆରୀ ମାସରେ ଦେଶକୁ କରୋନା ଟିକା ଆସିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଗଲା ପରେ ରାଜ୍ୟ ସରକାର ଏହାର ସଂରକ୍ଷଣ ଓ ବଣ୍ଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି। ଭ୍ୟାକସିନ୍କୁ କିପରି ସଂରକ୍ଷିତ କରି ରଖାଯିବ ତଥା କାହାକୁ ଅଗ୍ରାଧିକାର ଦିଆଯିବ ସେ ନେଇ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଟିକାକରଣ ପାଇଁ ରାଜ୍ୟରେ ୮ ହଜାର ୨୬୭ଟି ସ୍ଥାନ ଚିହ୍ନଟ ହୋଇଛି। ଏହି ସବୁ ଅଞ୍ଚଳରେ ବ୍ୟବସ୍ଥା କରାଯିବା ନେଇ ରୋଡ୍ ମ୍ୟାପ୍ ବି ପ୍ରସ୍ତୁତ ହୋଇଛି। କେଉଁଠି କି ପ୍ରକାର ବ୍ୟବସ୍ଥା ହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସମସ୍ତ ତଥ୍ୟ ଅପଲୋଡ୍ ହେବ।
ଓଡ଼ିଶାରେ ଭ୍ୟାକସିନ୍ ପହଞ୍ଚିବା ପରେ ଏହାକୁ ସୁରକ୍ଷିତ ଭାବେ ରଖିବା ପାଇଁ ୧,୨୨୨ଟି କେନ୍ଦ୍ରକୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଗୋଟିଏ ଭ୍ୟାକସିନ୍ ଷ୍ଟୋର୍ ଓ ୯ଟି ଆଞ୍ଚଳିକ କେନ୍ଦ୍ର ରହିବ। ଏହାସହ ୩୦ ଜିଲ୍ଲାରେ ୩୨ଟି ଟିକାକରଣ କେନ୍ଦ୍ର ରହିବ।
ଟିକାକରଣ ପାଇଁ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏହାସହ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଛଡ଼ା ଟିକାକରଣ ପାଇଁ ତାଲିମ ବି ପ୍ରଦାନ ସରିଥିବା ସେ କହିଛନ୍ତି।