ଇଡ଼ିରେ ହାଜର ହେଲେ ପ୍ରଦୀପଙ୍କ ଝିଅ, ୬ ଘଣ୍ଟା ଜେରା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାରମ୍ବାର ନୋଟିସ୍ ଜାରି ହେବାପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡ଼ି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଶନିବାର ପୂର୍ବାହ୍ଣରେ ଶ୍ରୁତି ଭୁବନେଶ୍ୱର ସ୍ଥିତ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପାଖାପାଖି ୬ଘଣ୍ଟା ଜେରା କରାଯାଇଛି। ଟାଟାମୋଟର୍ସରେ ଚାକିରୀ ଦେବା ନାଁରେ ଶ୍ରୁତିଙ୍କ ଭାବୀସ୍ୱାମୀ ଆକାଶ ପାଠକ ଜେଲ୍ ଯାଇଛନ୍ତି। ଏହି ମାମଲାରେ ହୋଇଥିବା ବେଆଇନ ଟଙ୍କା କାରବାର ସମ୍ପର୍କରେ ଶ୍ରୁତିଙ୍କୁ ଜେରା କରାଯାଇଛି। ଏହାସହ ତାଙ୍କ ଆକାଉଣ୍ଟ ସମ୍ପର୍କିତ କାଗଜପତ୍ରକୁ ଇଡ଼ି ଯାଞ୍ଚ କରିଛି। ଜେରା ପରେ ଶ୍ରୁତି ବାହାରକୁ ଆସିବାବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲିନାହାନ୍ତି। ଏମିତିକି ଗଣମାଧ୍ୟମକୁ ଏଡ଼ାଇ ଦେଇ ସେ ପଳାଇ ଯାଇଥିଲେ।

ଅନ୍ୟପକ୍ଷେ ଆକାଶଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ଅକ୍ଟୋବର ୫ ଓ ଗତ ଶୁକ୍ରବାର ଇଡ଼ି ଦୁଇଥର ଜେରା କରିସାରିଛି। ଆବଶ୍ୟକସ୍ଥଳେ ଆକାଶ ପାଠକଙ୍କୁ ଜେରା କରାଯିବ ବୋଲି ଇଡ଼ି ପକ୍ଷରୁ ସୂଚନା ମିଳିଛି। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିଲେ। ଏନେଇ ତାଙ୍କୁ କ୍ରାଇମବ୍ରାଞ୍ଚ ଗତବର୍ଷ ଗିରଫ କରିଥିଲା। ଏମିତିକି ଆକାଶ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ବେଆଇନ ଭାବେ ଟଙ୍କା ପଠାଇଥିଲେ। ଏହାସହ ଅନ୍ୟ କେଉଁ ଆଡ଼େ ଟଙ୍କା ପଠାଇଥିଲେ, ତା’ର ତଦନ୍ତ ତଦନ୍ତ କରିବାକୁ ଯାଇ ଶ୍ରୁତିଙ୍କୁ ଇଡ଼ି କିଛି ମାସ ତଳେ ନୋଟିସ୍ କରିଥିଲା। ହେଲେ ବିଭିନ୍ନ ଆଳ ଦେଖାଇ ଶ୍ରୁତି ହାଜର ହେଉନଥିଲେ। ଶନିବାର ସେ ହାଜର ହେବା ପରେ ତାଙ୍କୁ ଇଡ଼ି କାର୍ଯ୍ୟାଳୟରେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ପଚରାଯାଇଛି।

ସୂଚନା ଅନୁଯାୟୀ, ଠକେଇ ଟଙ୍କାରେ ଆକାଶ ପଞ୍ଚତାରକା ହୋଟେଲରେ ରହିବା ସହ ବିଦେଶ ବୁଲିଥିଲେ। ଆକାଶଙ୍କ ପରିବାର ସହିତ ମିଶି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ମାଲେସିଆ, ହଂକଂ, ବ୍ରିଟେନ୍‌, ୟୁନାଇଟେଡ୍ ଆରବ୍ ଏମିରେଟସ୍ ଓ ମାଳଦୀପ ଯାଇଥିଲେ। ସେହିଭଳି ଚାର୍ଟର ବିମାନରେ ଭୁବନେଶ୍ୱରରୁ ପୁନେ, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ବୁଲିଥିଲେ। ଯେଉଁଥିରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ସେହିପରି ମୁମ୍ବାଇ ତାଜ୍ ପ୍ୟାଲେସ୍‌ରେ ଆକାଶ ଅଏସ୍ କରି ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିଲେ। ଏମିତିକି ନିଜର ବିବାହ ପାଇଁ ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ ବୁକିଂ କରିଥିଲେ। ଯାହାର ଖର୍ଚ୍ଚ ପାଖାପାଖି ୫କୋଟି ହୋଇଥିବାବେଳେ ୨୦ ଲକ୍ଷ ଟଙ୍କା ଅଗ୍ରୀମ ରାଶି ଦେଇଥିଲେ। ତେବେ ଏହି ଚାକିରୀ ଠକେଇରେ ଆକାଶଙ୍କୁ ଅଭୟକାନ୍ତ ଓ ବିଧାୟକ ତଥା ଭାବୀ ଶ୍ୱଶୂର ପ୍ରଦୀପ ପାଣିଗ୍ରାହୀ ସହଯୋଗ କରିଥିଲେ। ତେଣୁ ଏହି ମାମଲାରେ ଛନ୍ଦିହୋଇ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜେଲ୍ ଯାଇଥିଲେ। ପରେ ଅଭୟକାନ୍ତ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।