ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନ ପରିସରରେ ପୁଲିସ ମୁତୟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡିରୁ ବିଦା ହେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନ ପରିସରରେ ପୁଲିସ ମୁତୟନ ହୋଇଛନ୍ତି। କେଉଁ କାରଣରୁ ପୁଲିସ ମୁତୟନ କରାଯାଇଛି, ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଥିବା କୁହାଯାଉଛି।
ଏନେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଏବେ ଯାଏ ମୋତେ ସୁରକ୍ଷା ମିଳୁନଥିଲା। ଦଳରୁ ବହିଷ୍କାର ହେବା ପରେ ଘର ଆଗରେ ପୁଲିସ ଆସି ଜଗିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ମୋ ଉପରକୁ ଚାରିଆଡୁ ଅଭିଯୋଗ ଆସିଲାଣି। ଏଥିପାଇଁ ମୋ ଜୀବନ ପ୍ରତି ବିପଦ ରହିଛି। ମୁଖ୍ୟମନ୍ତ୍ରୀ ହିସାବରେ ଜଣେ ବିଧାୟକଙ୍କୁ ସୁରକ୍ଷା ଦେବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି।
ଅନ୍ୟପକ୍ଷରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଅଭୟକାନ୍ତ ପାଠକ ପରିବାର ସହ ଶ୍ରୀ ପାଣିଗ୍ରାହୀଙ୍କ ଘନିଷ୍ଠ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ଗଣମାଧ୍ୟମ ଆଗରେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ନିରୀହ କହିବା, ଝିଅ ବାହାଘର ନିମନ୍ତ୍ରଣ ପତ୍ର ଓ ପାଠକ ପରିବାର ସହ ଚାର୍ଟର ଫ୍ଲାଇଟରେ ବାରମ୍ବାର ବୁଲିବା ଏହା ପ୍ରମାଣିତ କରୁଛି। ତେଣୁ ଭିଜିଲାନ୍ସ ତାଲିକାରେ ତାଙ୍କ ନାମ ସର୍ବାଗ୍ରେ ଥିବା କୁହାଯାଉଛି।