ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା; ଚପାଇ ଦେବାକୁ ପୁଲିସର ଚକ୍ରାନ୍ତ : ପ୍ରଦୀପ ମାଝୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ ଗତ ମେ’ ୭ ଦିନ ମହିଳାଙ୍କ ଦେହ ଖରାପ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ନେଇ କାର୍ଯ୍ୟରତ ଅନ୍ୟପୁଲିସ କର୍ମଚାରୀ ତାଙ୍କ ସ୍ୱାମୀ ବୁଦୁରା ଗୌଡ଼କୁ ଖବର ଦେଇଥିଲେ।

ପରଦିନ ଅର୍ଥାତ୍ ମେ’ ୮ରେ ଚିକିତ୍ସାଳୟରେ ଚନ୍ଦ୍ରମାର ବସ୍ତ୍ର ବଦଳାଇବା ବେଳେ ସ୍ୱାମୀ ବୁଦୁରା ଗୌଡ଼ ଦେଖିଥିଲେ ଯେ ଚନ୍ଦ୍ରମାର ଦେହସାରା ଗଭୀର କ୍ଷତ ହୋଇଛି। ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଲିସ ହେପାଜତରେ ମହିଳାଙ୍କୁ କୋରାପୁଟ ସ୍ଥିତି ଲକ୍ଷ୍ମଣ ନାୟକ ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଅବସ୍ଥା ସାଂଘାତିକ ହେବାରୁ ବ୍ରହ୍ମପୁର ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାର ତୁରନ୍ତ ତଦନ୍ତ ପାଇଁ ମାଲକାନଗିରି କଂଗ୍ରେସ ପ୍ରତିନିଧି ଦଳ ମେ’ ୧୫ରେ ଏସପିଙ୍କ ସହ ଆଲୋଚନା କରିଥିଲେ। ଏସପି ୧୫ ଦିନ ଭିତରେ ସମସ୍ତ ଦୋଷୀଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମାଲ୍କାନଗିରି ଏସପି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହାନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।

ଏପରିସ୍ଥଳେ ପୁଲିସର ଭୂମିକା ସନ୍ଦେହ ପରିସରକୁ ଆସିଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଯଦି ସରକାର ତୁରନ୍ତ ଦୋଷୀକୁ ଗିରଫ କରି ମୃତକର ପରିବାର ବର୍ଗଙ୍କୁ ନ୍ୟାୟ ନଦିଅନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ମଧ୍ୟ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି। ମୃତକର ପରିବାରକୁ ତୁରନ୍ତ ୨୦ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦେବାକୁ ମଧ୍ୟ ଶ୍ରୀ ମାଝୀ ଦାବି କରିଛନ୍ତି।